ବାଂଲାଦେଶରେ ବଢ଼ୁଛି ହିନ୍ଦୁ ବିରୋଧୀ କାର୍ଯ୍ୟ, ପ୍ରଥମେ ମନ୍ଦିରରେ ଭଙ୍ଗାରୁଜା ପରେ ୨୯ ଘରେ ଲଗାଇଲେ ନିଆଁ

Published By : Prameya-News7 Bureau | October 18, 2021 IST

ଢ଼ାକା ୧୮/୧୦: ବାଂଲାଦେଶରେ ଏବେ ହିନ୍ଦୁ ବିରୋଧୀ କାର୍ଯ୍ୟ ବୃଦ୍ଧି ପାଇଛି। ପ୍ରଥମେ ମନ୍ଦିରରେ ଭଙ୍ଗାରୁଜା ଆଉ ଏବେ ୨୯ ଘରେ ନିଆଁ ଲଗାଇ ଦେଇଛନ୍ତି କଠୋରପନ୍ଥୀ।  ବିଡିନ୍ୟୁଜ୍‌୨୪ ଡଟ୍‌ କମ୍‌ରେ ପ୍ରକାଶିତ ରିପୋର୍ଟ ମୁତାବକ, ରବିବାର ବିଳମ୍ବିତ ରାତିରେ ରଙ୍ଗପୁର ଜିଲ୍ଲାର ପିରଗଞ୍ଜସ୍ଥିତ ଏକ ଗାଁରେ ଏହି ଘଟଣା ଘଟିଛି । ଏସପି ମହମ୍ମଦ କମରୁଜ୍ଜମାଂ କହିଛନ୍ତି ଯେ ଗାଁର ଜଣେ ହିନ୍ଦୁ ଯୁବକ ଫେସବୁକ୍‌ ପୋଷ୍ଟ ମାଧ୍ୟମରେ ଧର୍ମକୁ ଅପମାନ କରିବା ନେଇ ଗୁଜବ ପରେ ପରିସ୍ଥିତି ଅଶାନ୍ତ ହୋଇଛି।

ଏନେଇ ପୋଲିସ ଜାଣିବା ପରେ ସମ୍ପୃକ୍ତ ଯୁବକଙ୍କ ଘରେ ପହଞ୍ଚିବା ସହ ସୁରକ୍ଷା ଦେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଆକ୍ରମଣକାରୀ ଆଖାପାଖରେ ଥିବା ଅନେକ ଘରେ ନିଆଁ ଲଗାଇଦେଇଥିଲେ। ଅଗ୍ନିଶମ ବାହିନୀର ରିପୋର୍ଟ ଅନୁସାରେ, ୨୯ ଘରେ ନିଆଁ ଲାଗିଛି।  ଦମକଳ  ବାହିନୀକୁ ନିଆଁ ଲାଗିଥିବା ନେଇ ରାତି ୮.୪୫ରେ ସୂଚନା ମିଳିଥିଲା। ଭୋର ୪ଟାରେ ନିଆଁ ଉପରେ କାବୁ ପାଇଥିଲା ଦମକଳ  ବାହିନୀ।

ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ। ଏହି ସଂପ୍ରଦାୟିକ ହିଂସା ଯୋଗୁଁ, କମିଲା, ଚାନ୍ଦପୁର, ଚଟ୍ଟୋଗ୍ରାମ, କକ୍ସ ବଜାର, ବନ୍ଦରବନ, ମୌଲବୀ ବଜାର, ଗାଜିପୁରରେ ଥିବା ହିନ୍ଦୁ ମନ୍ଦିରରେ ପୋଲିସ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଛି।  ସାଂପ୍ରଦାୟିକ ହିଂସା ମାମଲାରେ ଏବେ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.