ଆଜି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ଶର୍ମା

Published By : Prameya-News7 Bureau | May 10, 2021 IST

ଆସାମ ୧୦/୫ : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା । ଗତକାଲି ବିଜେପି ବିଧାୟକ ଦଳର ହିମନ୍ତ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହୋଇଥିଲା । ଆଜି ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଶର୍ମାଙ୍କ ସହ ଆଉ କେଉଁ ମନ୍ତ୍ରୀ ଶପଥ ନେବେ କି ନାହିଁ ତାହା ଜଣା ପଡି ନାହିଁ । କ୍ରମାଗତ ପଞ୍ଚମ ଥର ପାଇଁ ଜାଲୁକବାରୀ ଆସନରୁ ଶର୍ମା ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ।

ଆସାମର ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ ଶାସକ ମିଳିତ ମଞ୍ଚ ୭୫ ଟି ସିଟ୍ ପାଇଥିଲା । ବିଜେପି ୬୦ ଟି ସିଟ୍ ପାଇଥିବାବେଳେ ଏହାର ମିଳିତ ସହଯୋଗୀ ଆସାମ ଗଣ ପରିଷଦ (ଏଜିପି) ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ସ (ୟୁପିପିଏଲ୍) ଯଥାକ୍ରମେ ନଅ ଓ ୬ଟି ସିଟ୍ ପାଇଛି । କଂଗ୍ରେସରୁ ଆସି ବିଜେପିରେ ଯୋଗଦେବା ପରେ ପୂର୍ବୋତ୍ତର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ୩ୟ ନେତା ହେବେ ଶ୍ରୀ ଶର୍ମା ।

ହିମନ୍ତ ୨୦୧୪ରେ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । କଂଗ୍ରେସ ସରକାରରେ ସେ ଶିକ୍ଷା ମନ୍ତ୍ରୀ ଥିଲେ ଏବଂ ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଥିଲେ । ତାଙ୍କ ସହିତ ପ୍ରାୟ ୩୮ ଜଣ ବିଧାୟକ ମଧ୍ୟ ଥିଲେ । କିନ୍ତୁ ତାଙ୍କର ଦାବିକୁ କଂଗ୍ରେସ ଅଣଦେଖା କରିଥିଲା । ସେହି ସମୟରେ ହିମନ୍ତ ବିଶ୍ୱ ସର୍ମା ତତ୍କାଳୀନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଇସ୍ତଫା ଦେଇଥିଲେ । ୨୦୧୬ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ସେ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ । କିନ୍ତୁ ଏଥର ୨୦୨୧ ବିଧାନସଭା ନିର୍ବାଚନରେ ତାଙ୍କର ରଣନୀତି କାମ ଦେଇଥିଲା । ଫଳରେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.