ଭାରତ-ଚୀନ୍ ସୀମାରେ ଶହୀଦ ହେଲେ ୨୬ ବର୍ଷୀୟ ଯବାନ୍

Published By : Prameya-News7 Bureau | September 11, 2020 IST

ଶିମଲା ୧୧/୦୯ : ଭାରତୀୟ ସେନାରେ ମାତୃଭୂମି ପାଇଁ ସେବା କରୁଥିବା ଜଣେ ଯବାନ ଶହୀଦ ହୋଇଛନ୍ତି | ହିମାଚଳ ପ୍ରଦେଶ ଶିମଲା ଜିଲ୍ଲା ଚୌପାଳ ଉପମଣ୍ଡଳର ବୀର ପୁତ୍ର ଅତର ରାଣା ଦେଶ ସେବା କରି ଶହୀଦ ହୋଇଛନ୍ତି | ସେ ପଞ୍ଜାବ ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ | ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ସୀମାରେ LAC ରେ ନିୟୋଜିତ ହୋଇଥିଲେ | ତେବେ ମୃତ୍ୟୁର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | କିନ୍ତୁ ବୀର ପୁତ୍ର ଦେଶ ସେବା କରି ବଳିଦାନ ଦେଇଥିବା କୁହାଯାଉଛି |

ଅତର ରାଣା ତାଙ୍କ ପରିବାରରେ ଜଣେ ହିଁ ରୋଜଗାର କ୍ଷମ ଥିଲେ | ବାପା ମାଙ୍କ ସହ ତାଙ୍କର ଆଉ ୨ ଭଉଣୀ ଓ ୩ ଭାଇ ଅଛନ୍ତି | ଶହୀଦ ଅବିବାହିତ ଥିଲେ | ତାଙ୍କୁ ୨୬ ବର୍ଷ ବୟସ ହୋଇଥିଲା | ୨୬ ବର୍ଷ ବୟସରେ ସେ ଦେଶ ସେବା କରି ଜୀବନ ଦେଇଛନ୍ତି | ୧୯୯୪ ମସିହାରେ ଧାର ଚନ୍ଦନା ପଞ୍ଚାୟତର ଧାର ଗାଁରେ ଜନ୍ମ ହୋଇଥିବା ଅତର ରାଣା ୨୦୧୨ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ |

ପଞ୍ଚାୟତ ସରପଂଚ  କହିଛନ୍ତି ଯେ ଅତର ରାଣାଙ୍କ ଜଣେ ଭାଇଙ୍କୁ ସେନା ମୁଖ୍ୟାଳୟରୁ ଜଣେ ଅଧିକାରୀ ଫୋନ କରି ଶହୀଦଙ୍କ ସମ୍ପର୍କରେ ସୂଚନା ଦେଇଥିଲେ | ଏହାପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ଶହୀଦଙ୍କ ପରିବାରକୁ ସାନ୍ତ୍ୱନା ଦେବାପାଇଁ ଗ୍ରାମବାସୀ ତାଙ୍କ ଘରେ ପହଞ୍ଚିଥିଲେ | ସୈନିକ କଲ୍ୟାଣ ବୋର୍ଡର ଉପ ନିର୍ଦେଶକ ଏନପି ଅତ୍ରି କହିଛନ୍ତି ଯେ ଭାରତ-ଚୀନ ସୀମାରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲରେ ନିୟୋଜିତ ଥିବା ୨୬ ବର୍ଷୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି | ଶନିବାର ଦିନ ବିମାନ ଯୋଗେ ଶହୀଦଙ୍କ ପାର୍ଥିବ ଶରୀର ଦିଲ୍ଲୀ ନିଆଯିବ ବୋଲି କୁହାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.