ଜମାତ ଫେରନ୍ତାଙ୍କୁ ଡିଜିପିଙ୍କ ଅଲ୍ଟିମେଟମ୍ ! ସ୍ଥିତି କିମ୍ବା ଗସ୍ତ ସଂପର୍କରେ ସୂଚନା ନଦେଲେ ରୁଜୁ ହେବ ହତ୍ୟା ଉଦ୍ୟମ ମାମଲା
5/04/2020 at 6:37 PM

ସିମଲା ୫।୪: ଭାରତରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୩,୦୦୦ ଅତିକ୍ରମ କରିସାରିଛି । ସେହିଭଳି ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । କରୋନା ବିପର୍ଯ୍ୟୟ ଦେଶର ଅନେକ ରାଜ୍ୟରେ ବ୍ୟାପିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବାକୁ ଦେଶରେ ୨୧ ଦିନିଆ ଲକ୍ ଡାଉନ୍ କରାଯାଇଛି ।

ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାର କରୋନା ମୁକାବିଲା ନେଇ ଲୋକଙ୍କୁ ଅବଗତ କରାଉଛନ୍ତି । ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ସାମିଲ ହୋଇଥିବା ସଦସ୍ୟଙ୍କୁ ହିମାଚଳ ପ୍ରଦେଶ ଡିଜିପି ଅଲ୍ଟିମେଟମ୍ ଜାରି କରିଛନ୍ତି । ସ୍ଥିତି କିମ୍ବା ବିଦେଶ ଗସ୍ତ ସୂଚୀ ନଲୁଚାଇବା ପାଇଁ କୁହାଯାଇଛି ।
ଡିଜିପି ଜମାତ ସଦସ୍ୟଙ୍କୁ ଚେତାବନୀ ଦେଇଛନ୍ତି ଯେ, ସେମାନେ ସେମାନଙ୍କର ସୂଚନା ସ୍ବାସ୍ଥ୍ୟ ବିଭାଗ, ପୋଲିସ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାଇବା ଉଚିତ୍ । ଯଦି ସେମାନ ସୂଚନା ନଦିଅନ୍ତି ତେବେ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହେବ । ଏବିପି ନ୍ୟୁଜ୍ ଅନୁଯାୟୀ ଡିଜିପି ଭିଡିଓ ରିଲିଜ୍ କରି ଏହି ସତର୍କ ସୂଚନା ଜାରି କରିଛନ୍ତି ।

ସୂଚନା ଲୁଚାଇଥିବାରୁ ଜରୁରୀକାଳୀନ ପରିଚାଳନା ଅଧିନିୟମ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୮୫ ଜଣଙ୍କ ବିରୋଧରେ ୧୭ଟି ମାମଲା ରୁଜୁ କରିଛି ପୋଲିସ । ଏହାସତ୍ତ୍ବେ ଲୋକମାନେ ନିଜେ ଆଗକୁ ଆସୁନାହାଁନ୍ତି ଏବଂ ସେମାନଙ୍କ ସ୍ଥିତି କିମ୍ବା ଗସ୍ତ ସୂଚନା ଦେଉନାହାଁନ୍ତି । ପୋଲିସ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଲୋକଙ୍କୁ ବାରମ୍ବାର ସଚେତନ କରାଉଛନ୍ତି । ତେବେ ଦିଲ୍ଲୀ ଜମାତରୁ ଫେରିଥିବା ହିମାଚଳର ୬ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।