ଆଜିଠୁ ବର୍ଦ୍ଧିତ ଦରରେ ଖାଉଟି କିଣୁଛନ୍ତି ଓମଫେଡ କ୍ଷୀର, ଲିଟର ପିଛା ଅଧିକ ୪ ଟଙ୍କାରେ ବିକ୍ରି
27/09/2019 at 9:18 AM

ଭୁବନେଶ୍ବର ୨୭।୯: ଆଜିଠୁ ବର୍ଦ୍ଧିତ ଦରରେ ଖାଉଟି କିଣିବେ ଓମଫେଡ କ୍ଷୀର । ଲିଟର ପିଛା ଅଧିକ ୪ ଟଙ୍କାରେ କିଣିବେ । ଘରେ ଘରେ ଆବଶ୍ୟକ ଓମଫେଡ୍ କ୍ଷୀର ପାଇଁ ଲିଟର ପିଛା ଆଉ ୪ ଟଙ୍କା ଅଧିକ ଦେବାକୁ ପଡ଼ିବ । ପୂର୍ବରୁ ଓମ୍ ଫେଡ୍ ପ୍ରିମିୟମ୍ ଓ ଗୋଲ୍ଡ ପ୍ରିମିୟମ୍ କ୍ଷୀର ଲିଟର ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏଥିପାଇଁ ଏହାକୁ ୪୪ ଟଙ୍କା ଦେବାକୁ ହେବ ।
ସେହିପରି ଟୋନଡ ଲିଟର ପାଇଁ ୩୪ ଟଙ୍କା ଜାଗାରେ ୩୮ ଟଙ୍କା ଦେବାକୁ ହେବ । ବିଶେଷ କରି ଶିଶୁ ଏବଂ ରୋଗୀ ମାନଙ୍କ ପାଇଁ କ୍ଷୀର ନିହାତି ଆବଶ୍ୟକ ହୋଇଥିବା ବେଳେ ସାଧାରଣ ଲୋକେ ଏହାଦ୍ବାରା ସବୁଠୁ ବେଶୀ ପ୍ରଭାବିତ ହେବେ ।
ତେବେ ଓମଫେଡ୍ ପାଖରେ ପ୍ୟାକେଜିଂ ପାଇଁ ଗଚ୍ଛିତ ପୁରୁଣା ପଲିଥିନ୍ ବ୍ୟବହାର ସରିବା ପର୍ଯ୍ୟନ୍ତ ପୁରୁଣା ପ୍ୟାକେଟର କ୍ଷୀରକୁ ନୂଆ ଦରରେ କିଣିବା ପାଇଁ ଗ୍ରାହକଙ୍କୁ ଅନୁରୋଧ କରାଯାଇଛି । ଏହି ଦରବୃଦ୍ଧି ଦ୍ବାରା ରାଜ୍ୟର ୩ ଲକ୍ଷ ଦୁଗ୍ଧ ଚାଷୀ ଲାଭ ପାଇବେ । ଲିଟର ପିଛା ଦୁଗ୍ଧ ଚାଷୀଙ୍କୁ ଆଉ ୩ ଟଙ୍କା ମିଳିବ । ଦର ବୃଦ୍ଧିକୁ ସ୍ବାଗତ କରିଛନ୍ତି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ ।