ହାଇୱେ ଇନ୍ ହୋଟେଲ୍ ହତ୍ୟାକାଣ୍ଡ: ମୃତ ମହିଳା ଥିଲେ ଅନ୍ତଃସତ୍ତ୍ବା, ହତ୍ୟାକାରୀ ଆଦିତ୍ୟ ଆଗରୁ କରିଥିଲା ମର୍ଡର ପାଇଁ ରେକି

Published By : Prameya-News7 Bureau | August 28, 2018 IST

ଭୁବନେଶ୍ବର୨୮|୮: ଭୁବନେଶ୍ବର ହାଇୱେ ଇନ୍‌ରେ ମହିଳାଙ୍କୁ ନୃସଂଶଭାବେ ହତ୍ୟା ଘଟଣାର ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ମୃତ ମହିଳା ଅନ୍ତଃସତ୍ତ୍ବା ଥିଲେ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । କେବଳ ସେତିକି ନୁହେଁ, ହତ୍ୟାକାରୀ ମୃତ ମହିଳାଙ୍କ ପୁରୁଷ ବଂଧୁ ଆଦିତ୍ୟ ମହାପାତ୍ର କିଛିଦିନ ପୂର୍ବରୁ ମଧ୍ୟ ଏହି ହୋଟେଲକୁ ଆସି ହତ୍ୟାକାଣ୍ଡର ରେକି କରିଯାଇଥିବା ପୋଲିସ ଜାଣିପାରିଛି । ଆଧାର କାର୍ଡ ଜାଲ୍‌ କରିବାଠୁ ଆରମ୍ଭ କରି ହତ୍ୟାପାଇଁ ବ୍ୟବହାର ହୋଇଥିବା ଲୁହାରଡ୍‌ କିଣି ଆଣିବା ଯାଏଁ ସବୁ କଥା ଆଦିତ୍ୟ ଆଗରୁ ରେକି କରିଥିଲା । ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ହୋଟେଲ ହାଇୱେ ଇନ୍‌ର ରୁମ୍‌ ନମ୍ବର ୧୨୧ରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପୋଲିସ ଉଦ୍ଧାର କରିଥିଲା । ପରେ ମହିଳାଙ୍କ ନାଁ ଲକ୍ଷ୍ମୀପ୍ରିୟା ବିଶ୍ବାଳ ବୋଲି ଜଣା ପଡିଥିଲା । ମୃତ ମହିଳାଙ୍କ ମାଁଙ୍କ ଠାରୁ ପୋଲିସ ସବିଶେଷ ତଥ୍ୟ ପାଇଥିଲା । ଲକ୍ଷ୍ମିପ୍ରିୟା ପୂର୍ବରୁ ଗଡଖୋର୍ଦ୍ଦାରେ ବିବାହ କରିଥିଲେ । ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ତେବେ ସ୍ବାମୀହ୍କଠାରୁ ଅଲଗା ହୋଇ ଗୀତା କଲେଜ ନିକଟରେ ଥିବା ମଦନପୁରରେ ସେ ନିଜ ମାଙ୍କ ଘରେ ରହୁଥିଲେ । ଗତ ୬ ମାସ ହେବ ଫେସ୍‌ବୁକ୍‌ରେ ଆଦିତ୍ୟ ମହାପାତ୍ରଙ୍କ ସହ ତାଙ୍କର ପ୍ରେମ ହୋଇଥିଲା । ଦିହେଁ ଏକାଠି ବୁଲାବୁଲି କରିବା ସହ ଅନ୍ତରଂଗ ମୁହୁର୍ତ୍ତ ବିତାଉଥିଲେ । ଏପରିକି ଉଭୟେ ବାଂଗାଲୁର ମଧ୍ୟ ଏକାଠି ଯାଇଥିଲେ । ୟା ମଧ୍ୟରେ ଲକ୍ଷ୍ମିପ୍ରିୟା ଅନ୍ତଃସତ୍ବା ହେବା ପରେ ଆରମ୍ଭ ହୋଇଥିଲା ସମସ୍ୟା । ବିବାହ କରିବା ପାଇଁ ଆଦିତ୍ୟଙ୍କ ଉପରେ ଲକ୍ଷ୍ମିପ୍ରିୟା ଚାପ ପକାଇଆସୁଥିଲେ । ତେବେ ଆଦିତ୍ୟ ଏଥିରେ ରାଜି ହେଉନଥିଲେ । ହୁଏତ ଏହି କାରଣ ଯୋଗୁଁ ଲକ୍ଷ୍ମିପ୍ରିୟାଙ୍କୁ ଆଦିତ୍ୟ ହତ୍ୟା କରିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.