୨୪ ଘଣ୍ଟାରେ ରେକର୍ଡ : ଦେଶରେ ଦିନକରେ ୩୫୨୫ କରୋନା ମାମଲା, ୭୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩/୦୫ : ଦେଶରେ ଦ୍ରୁତ ଗତିରେ କାୟା ମେଲାଇ ଚାଲିଛି କରୋନା ମହାମାରୀ। ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା , ଆଉ ମୃତ୍ୟୁ ସଂଖ୍ୟା ବି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ଆହୁରି  ୩୫୨୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ଟପିଛି। ଏଥିମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୭ ହଜାର ୪୮୦ । ଏପଟେ ଗତ  ୨୪ ଘଣ୍ଟାରେ ୧୨୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ  ମହାମାରୀରେ  ମୃତ୍ୟୁ ସଂଖ୍ୟା ୨ ହଜାର ୪୧୫ ଛୁଇଁଛି। ଇତିମଧ୍ୟରେ କୋରୋନା ମହାମାରୀରୁ ୨୪ ହଜାର ୩୮୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ  ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଇ ଚାଲିଛି । ଏବେ ଏହା ୩୧.୭ ପ୍ରତିଶତରେ ପହଞ୍ଚିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨୪ ହଜାର ୪୨୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୯୨୧ ଜଣଙ୍କ ଜୀବନ ଗଲାଣି । ମହାମାରୀରୁ ରାଜ୍ୟରେ ୫୧୨୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗୁଜରାଟରେ ଦ୍ବିତୀୟ ସର୍ବାଧିକ ୮ହଜାର ୯୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୫୩୭ ଜଣଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.