ହାଇକୋର୍ଟଙ୍କ ନିର୍ଦ୍ଦେଶ-ସାଧୁସନ୍ଥ ଓ ଅସହାୟଙ୍କୁ ହାଡଭଙ୍ଗା ଶୀତରୁ ରକ୍ଷା କରିବାକୁ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର
17/01/2021 at 2:14 PM

ଚଣ୍ଡୀଗଡ଼ ୧୭/୦୧ : ହରିୟାଣାରେ ବର୍ତ୍ତମାନ ଭୀଷଣ ଶୀତ ପଡିଛି। ଭୀଷଣ ଶୀତ ଦାଉରୁ ଅସହାୟ ଲୋକଙ୍କୁ ସୁରକ୍ଷା ଦେବାକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଆଗକୁ ଆସିଛନ୍ତି। କୁରୁକ୍ଷେତ୍ରରେ ଥିବା ବ୍ରହ୍ମ ସରୋବର ଓ ଅନ୍ୟ ସ୍ଥାନମାନଙ୍କରେ ରହୁଥିବା ସାଧୁସନ୍ଥ, ଅସହାୟ ଓ ଭିକାରିଙ୍କୁ ଥଣ୍ଡାର ପ୍ରକୋପରୁ ରକ୍ଷା କରିବାକୁ ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହରିୟାଣା ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶରେ କୋର୍ଟ କହିଛନ୍ତି, ସରକାର ଅସହାୟ ଓ ସାଧୁସନ୍ଥଙ୍କ ପାଇଁ ରାତ୍ରି ଆଶ୍ରୟ ବ୍ୟବସ୍ଥା କରନ୍ତୁ। ହାଡଭଙ୍ଗା ଶୀତରେ ଏହି ଅସହାୟ ଲୋକ ଓ ସାଧୁସନ୍ଥଙ୍କ ସ୍ଥିତିକୁ ନେଇ ଅଦାଲତରେ ହୋଇଥିବା ଆବେଦନକୁ ନେଇ କୋର୍ଟ ଏହିଭଳି ଆଦେଶ ଦେଇଛନ୍ତି।

ଗଣମାଧ୍ୟମ ସୂଚନା ଅନୁଯାୟୀ, କୁରୁକ୍ଷେତ୍ରର ସରୋଜ ଜୈନ ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କ ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରିଛନ୍ତି। ଅଦାଲତରେ ଓକିଲ କହିଥିଲେ ଯେ, କୁରୁକ୍ଷେତ୍ରରେ ସ୍ଥିତ ବ୍ରହ୍ମ ସରୋବର ଓ ସନ୍ନିହିତ ସରୋବର ଅଞ୍ଚଳରେ ଅନେକ ସାଧୁସନ୍ଥ ଓ ଅସହାୟ ରୁହନ୍ତି। ହାଡଭଙ୍ଗା ଶୀତରେ ଏମାନଙ୍କୁ ଖୋଲା ଆକାଶ ତଳେ ଶୋଇବାକୁ ପଡେ। ଆବେଦନକାରୀ କହିଛନ୍ତି ଯେ ସେ ଅନେକଥର ଏମାନଙ୍କୁ କମ୍ବଳ ମଧ୍ୟ ବାଣ୍ଟିଛନ୍ତି। କିନ୍ତୁ ଖୋଲା ଆକାଶ ତଳେ ଶୋଉଥିବା ଯୋଗୁଁ କାକରରେ ଏମାନଙ୍କ କମ୍ବଳ ମଧ୍ୟ ଓଦା ହୋଇଯାଇଥାଏ।

ଆବେଦନକାରୀ ନିଜ ଆବେଦନରେ ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ମଧ୍ୟ ଦର୍ଶାଇଛନ୍ତି | କୋର୍ଟରେ ସେ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ଏକ ଆଦେଶରେ ଅସହାୟ ଲୋକଙ୍କ ପାଇଁ ରାତ୍ରି ଆଶ୍ରୟ କେନ୍ଦ୍ର ବ୍ୟବସ୍ଥା କରିବାକୁ ଆଦେଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଧର୍ମ ନଗରୀ କୁରୁକ୍ଷେତ୍ରରେ ସାଧୁସନ୍ଥ, ଅସହାୟ ଶ୍ରମିକ ଓ ଭିକାରିଙ୍କ ପାଇଁ ମଧ୍ୟ ଏହିଭଳି ଆଦେଶ ଦିଆଯାଉ ବୋଲି ସେ ଆବେଦନରେ କହିଛନ୍ତି। ଆବେଦନକାରୀଙ୍କ ଦଲିଲ ଶୁଣିବା ପରେ ହାଇକୋର୍ଟ ଏହିଭଳି ନିର୍ଦ୍ଦେଶ ଦେଇଛନ୍ତି। ହରିୟାଣା ସରକାର ଜବାବ ଦେଇଛନ୍ତି ଯେ ସରକାର ଏହି ମାମଲାରେ କାମ କରୁଛନ୍ତି।