କଟକ : ଜଗତସିଂହପୁର ଜିଲ୍ଲାର ଜନୈକା ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯିବା ପରେ ସେ ଗର୍ଭବତୀ ହୋଇଥିଲେ । କିନ୍ତୁ ସେ ମାନସିକ ଭିନ୍ନକ୍ଷମ ଥିବାରୁ ଏହା ବହୁ ବିଳମ୍ବରେ ଜଣାପଡ଼ିଥିଲା । ନିୟମ ଅନୁଯାୟୀ, ପୀଡ଼ିତା ଗର୍ଭ ଧାରଣ କରିବାର ସମୟ ୨୦ ସପ୍ତାହ ଟପି ଯାଇଥିବାରୁ ଆଉ ଗର୍ଭ ନଷ୍ଟ କରିବା ସମ୍ଭବ ହେଲା ନାହିଁ । ଏଭଳି ସମୟରେ ଗର୍ଭ ନଷ୍ଟ କଲେ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଅଦାଲତ ବାଧ୍ୟ ହୋଇ ପିଲା ଜନ୍ମ ପାଇଁ ଅନୁମତି ପ୍ରଦାନ କଲେ । କିନ୍ତୁ ଆଗକୁ ଏଭଳି ଦୁଃଖଦ ଘଟଣାର ଆଉ ଯେପରି ପୁନରାବୃତ୍ତି ନହୁଏ ତାହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଜଣେ ନାବାଳିକା କିମ୍ବା ମାନସିକ ବା ଶାରୀରିକ ଭିନ୍ନକ୍ଷମ ନାବାଳିକା, ଯୁବତୀ ବା ମହିଳା ବଳାତ୍କାରର ଶିକାର ହୁଅନ୍ତି ତାହେଲେ ଘଟଣା ଘଟିବାର ୮ ସପ୍ତାହ ମଧ୍ୟରେ ପୁଲିସ ଏବଂ ସଂପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ସମ୍ପୃକ୍ତ ପୀଡିତାଙ୍କ ଗର୍ଭଧାରଣ ଓ ଗର୍ଭନଷ୍ଟ ସଂପର୍କରେ ବୁଝି ତାଙ୍କର କିମ୍ବା ପରିବାରର ଅନୁମତି ନେବା ଆବଶ୍ୟକ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ ସ୍ପଷ୍ଟ କରିଦେଇଛନ୍ତି ।
ଯଦି ପୀଡ଼ିତା ସାବାଳିକା ଏବଂ ଶାରିରୀକ ଭିନ୍ନକ୍ଷମ ହୋଇଥାନ୍ତି ତାହେଲେ ଏ କ୍ଷେତ୍ରରେ ଗର୍ଭ ନଷ୍ଟ ପାଇଁ ପୀଡ଼ିତାଙ୍କ ଅନୁମତିର ଆବଶ୍ୟକତା ରହିଛି । କିନ୍ତୁ ଯଦି ପୀଡ଼ିତା ସାବାଳିକା ଏବଂ ମାନସିକ ଭିନ୍ନକ୍ଷମ ହୋଇଥାନ୍ତି ତାହେଲେ ଏ କ୍ଷେତ୍ରରେ ପୀଡ଼ିତାଙ୍କ ମା’ଙ୍କର ଅନୁମତିର ଆବଶ୍ୟକତା ରହିଛି । ଯଦି ପୀଡ଼ିତା ଗର୍ଭ ଚାହୁଁନଥାନ୍ତି ତାହେଲେ କମିଟିର ପ୍ରଥମ ରିପୋର୍ଟ ପାଇବା କ୍ଷଣି ସିଡିଏମ୍ଓ ତୁରନ୍ତ ଗର୍ଭ ନଷ୍ଟ ପାଇଁ ପଦକ୍ଷେପ ନେବେ । ଯଦି ପୀଡ଼ିତା ଗର୍ଭ ନଷ୍ଟ କରିବାକୁ ଚାହୁଁନଥିବେ ଏ କ୍ଷେତ୍ରରେ ପୁଲିସ୍ ଏବଂ ସିଡିଏମ୍ଓ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଏବଂ ଜନ୍ମଠାରୁ ଆହୁରି ଗୋଟିଏ ବର୍ଷ ପର୍ଯ୍ୟନ୍ତ ମା’ ଏବଂ ପିଲା ଉଭୟର ଯତ୍ନ ପାଇଁ ପଦକ୍ଷେପ ନେବେ । ଯଦି କୌଣସି ପୀଡ଼ିତା ଗର୍ଭ ନଷ୍ଟ କରିବାକୁ ଚାହୁଁଥିବେ ତାହେଲେ ସିଡିଏମ୍ଓ ସମ୍ପୃକ୍ତ ପିଲାର ଡିଏନ୍ଏ ରିପୋର୍ଟ ରଖିବେ । ଏହି ରିପୋର୍ଟ ପରବର୍ତ୍ତୀ ସମୟରେ ମାମଲାର ଶୁଣାଣି ପାଇଁ ଆବଶ୍ୟକ ପଡ଼ିପାରେ । ପୀଡ଼ିତାଙ୍କ ଗର୍ଭଧାରଣ ଏବଂ ଏହାକୁ ନଷ୍ଟ କରାଯିବା ସଂକ୍ରାନ୍ତ ସମସ୍ତ ତଥ୍ୟକୁ ରାଜ୍ୟ ସରକାର ଗୋପନ ରଖିବେ । ଯଦି ପୀଡ଼ିତା ଏହି ସମୟରେ ନିଜ ଘରେ ରହିବାକୁ ଚାହାନ୍ତି ତାହେଲେ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ସମସ୍ତ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇ ଦେବେ ।
ଯଦି କୌଣସି ଭିନ୍ନକ୍ଷମ ମହିଳା କିମ୍ବା ତାଙ୍କ ପରିବାରର କୌଣସି ବ୍ୟକ୍ତି ପିଲାର ଦେଖାଶୁଣା କରିବା ପାଇଁ ଅସମର୍ଥ ସେ କ୍ଷେତ୍ରରେ ଜୁଭେନାଇଲ୍ ଜଷ୍ଟିସ୍ କେୟାର ମେକାନିଜିମ୍ ଜରିଆରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ହାଇକୋର୍ଟ କହିଛନ୍ତି । ଅନ୍ତତଃପକ୍ଷେ ୧୨ ମାସ ଲାଗି ଏହିପରି ସହାୟତା ଯୋଗାଇ ଦିଆଯିବ । ଏଭଳି ପୀଡ଼ିତାଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଯଦି ଏହିଭଳି ଘଟଣାରେ ପୀଡ଼ିତା କିମ୍ବା ତାଙ୍କ ପିଲାକୁ କୌଣସି ଉନ୍ନତ ମାନର ସ୍ୱାସ୍ଥ୍ୟସେବାର ଆବଶ୍ୟକତା ରହିଥାଏ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଯଦି ଏଥିରେ ଅବହେଳା ହୁଏ ତାହେଲେ ଏଥିପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ । ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ଲାଗି ଯେଉଁ ଡାକ୍ତରୀ ଟିମ୍ ଗଠନ କରାଯିବ ଏଥିରେ ପ୍ରସୂତି ବିଶେଷଜ୍ଞଙ୍କ ସମେତ ଶିଶୁରୋଗ ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ, ରେଡିଓଲୋଜି, ମେଡିସିନ୍ ବିଭାଗର ଜଣେ ଜଣେ ଡାକ୍ତର ରହିବେ । ଏଥିସହ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ମେଡିକାଲ ବୋର୍ଡ ଗଠନ କରାଯିବ । ଜିଲ୍ଲାରେ ଏହିଭଳି ଯେତେ ମାମଲା ଆସିବ ସେସବୁ ଘଟଣାର ଏହି ବୋର୍ଡ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବ । ଜିଲ୍ଲାରେ ଯେଉଁ ମେଡିକାଲରେ ଗର୍ଭ ନଷ୍ଟ କରାଯିବ ସେଠାରେ ଯେପରି ଆବଶ୍ୟକ ସମସ୍ତ ସୁବିଧା ରହିଥାଏ ତାହା ସିଡିଏମ୍ଓ ସ୍ପଷ୍ଟ କରିବେ । ଆବଶ୍ୟକ ପଡିଲେ ଏଥିପାଇଁ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇବାକୁ ହାଇକୋର୍ଟ କହିଛନ୍ତି । ଯଦି ଜଣେ ମହିଳା ଗର୍ଭ ନଷ୍ଟ କରିବାକୁ ଚାହୁଁଥାନ୍ତି ତାହେଲେ ଏ କ୍ଷେତ୍ରରେ ମେଡିକାଲ ଟର୍ମିନେସନ୍ ଆଇନ ଅନୁସାରେ ଅନୁମତି ପ୍ରଦାନ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଏହି ଆଦେଶ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ସଚିବ, ମହିଳା ଏବଂ ଶିଶୁ ବିକାଶ ସଚିବ, ଗୃହ ସଚିବ, ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା, ଡିଏମ୍ଇଟି ଏବଂ ରାଜ୍ୟର ତିନି ବଡ ମେଡିକାଲ କଲେଜ୍ର ଅଧୀକ୍ଷକଙ୍କୁ ଅବଗତ କରାଇବାକୁ ହାଇକୋର୍ଟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଏହି ରାୟ ସଂକ୍ରାନ୍ତରେ ପ୍ରତ୍ୟେକ ଜିଲ୍ଲା ଜଜ୍ଙ୍କୁ ଅବଗତ କରିବେ । ଜିଲ୍ଲା ଜଜ୍ ଏହି ଆଦେଶକୁ ପୋକ୍ସୋ କୋର୍ଟର ପ୍ରିଜାଇଡିଂ ଅଫିସର, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ପ୍ରିନ୍ସିପାଲ୍ ମାଜିଷ୍ଟ୍ରେଟ୍ଙ୍କ ଦୃଷ୍ଟିକୁ ଆଣିବେ । ରାୟ ସଂକ୍ରାନ୍ତରେ ରାଜ୍ୟ ଆଇନସେବା ପ୍ରାଧିକରଣ ଓ ପ୍ରତ୍ୟେକ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ଅବଗତ କରାଯିବ ବୋଲି ହାଇକୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।