ଆଇଫୋନ୍‌ରୁ ହୋଣ୍ଡା ଆମେଜ୍‌, ହାଇ ଭୋଲଟେଜ୍‌ ଲୁଟ୍‌ର ପର୍ଦ୍ଦାଫାସ୍‌, ୨ ଗିରଫ

Published By : Prameya-News7 Bureau | June 19, 2021 IST

କଟକ ୧୯/୦୬: କାଠଯୋଡି ବ୍ରିଜ୍‌ରେ ହୋଇଥିବା ହାଇ ଭୋଲଟେଜ୍‌ ଲୁଟର ପର୍ଦ୍ଦାଫାସ କରିଛି କଟକ ପୋଲିସ। ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ସେମାନଙ୍କ ପାଖରୁ ଲୁଟ୍‌ ହୋଣ୍ଡା ଆମେଜ୍‌ କାର ଜବତ କରାଯାଇଛି। ଏହା ବ୍ୟତୀତ ଅନ୍ୟ ଦୁଇଟି କାର ଏବଂ ଲୁଟ ପାଇଁ ବ୍ୟବହୃତ ଇନୋଭା, ମୋବାଇଲ ଫୋନ୍‌, ନଗଦ ଟଙ୍କା ଜବତ କରିଛି ପୋଲିସ।

୧୪ ଜୁନ ବିଳମ୍ବିତ ରାତିରେ ତେଲେଙ୍ଗାନାରୁ ଯାତ୍ରୀ ନେଇ କୋଲକାତା ଅଭିମୁଖେ ଯାଉଥିବା ଏକ ହୋଣ୍ଡା ଆମେଜ କାରକୁ ଅଭଯୁକ୍ତମାନେ ଟର୍ଗେଟ କରିଥିଲେ। ଗୋପାଳପୁର ସ୍ଥିତ କାଠଯୋଡ଼ି ବ୍ରିଜ୍‌ରେ ଏକ ଇନୋଭା କାରରେ ଆସି କୋଲକାତା ଅଭିମୁଖେ ଯାଉଥିବା କାରଟିକୁ ଅଟକାଇଥିଲେ। ପରେ ଡ୍ରାଇଭର ଅବଦୁଲ ନେହାଲକୁ ଲୁହା ରଡ୍‌ରେ ମାଡ ମାରିବା ସହ ସେଥିରେ ବସିଥିବା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ ଅଭିଯୁକ୍ତ।

ଏହା ପରେ ସେମାନଙ୍କ ପାଖରୁ ମୋବାଇଲ୍‌ ଫୋନ୍‌, ଟଙ୍କା ଏବଂ ଶେଷରେ ହୋଣ୍ଡା ଆମେଜ୍‌ କାରଟିକୁ ମଧ୍ୟ ଲୁଟି ନେଇଥିଲେ। ଡ୍ରାଇଭର ଅବଦୁଲ ପାଖରୁ ଅଭିଯୋଗ ପାଇବା ପରେ କଟକ ସଦର ଥାନା ପୋଲିସ ମାମଲାର ଛାନଭିନ କରିଥିଲା। ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ନିଆଳିର ବିଶ୍ବଜିତ ବାରିକ୍‌ ଓରଫ ଚନ୍ଦନ ଏବଂ କେଉଟ ସାହିର ରଞ୍ଜନ କୁମାର ବେହେରା ଓରଫ ଜିତୁକୁ ଗିରଫ କରିଛି ପୋଲିସ । ପଚରା ଉଚରା ପରେ ଆହୁରି କାର ଲୁଟ କରିଥିବା ନେଇ ଜିତୁ ବେହେରା ମାନିଥିଲା।   ସେମାନଙ୍କ ପାଖରୁ ୪ଟି କାର୍‌ , ମୋବାଇଲ୍‌ ଫୋନ୍‌, ଟଙ୍କା  ପୋଲିସ ଜବତ କରିଥିବା ଜଣାପଡ଼ିଛି । ତେବେ ଅନ୍ୟ ୨ ଅଭିଯୁକ୍ତ ପପୁନ ବିଶ୍ବାଳ ଏବଂ କାହ୍ନାକୁ ଖୋଜୁଛି ପୋଲିସ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.