ଟିକେଟ୍ ଟେନସନ, ନବୀନ ନିବାସରେ ହାଇ ଡ୍ରାମା : ରାଜନଗରରେ ଧ୍ରୁବଙ୍କ ପ୍ରାର୍ଥୀତ୍ବକୁ ବିରୋଧ, ଟିକେଟ୍ ନମିଳିଲେ ରଘୁ ବି ଯିବେ ବିଜେପି !
30/03/2019 at 5:33 PM

ଭୁବନେଶ୍ବର ୩୦|୩: ଜମୁଛି ବିଜେଡି ଟିକେଟ ବଣ୍ଟା ରାଜନୀତି । କିଏ ଧମକାଉଛି ତ କିଏ ସିଧା ଦଳ ଛାଡୁଛି । ଆଉ କାହା ମୁଣ୍ଡରେ ସୁପ୍ରିମୋ ସୁନାକଳସ ଢାଳୁଛନ୍ତି । ନବୀନ ନିବାସ ଭିତର ଓ ବାହାରର ଭିନ୍ନ ଭିନ୍ନ ଚିତ୍ର ରାଜ୍ୟରାଜନୀତିକୁ ରୋଚକ କରିଛି । ଆଜି ବି ଦଳର କିଛି ଆଶାୟୀ ନବୀନ ନିବାସ ବାହାରେ ନିଜ ନେତାଙ୍କ ସପକ୍ଷରେ ପ୍ରଦର୍ଶନ କରିଛନ୍ତି । ଟିକେଟ ନେଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ରାଲି ବି ବାହାରିଛି । ବରିଷ୍ଠ ନେତା ଅର୍ଜୁନ ସେଠୀ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ସେହିଭଳି ରଘୁ ମହାନ୍ତି ଉଠା ଜଳସେଚନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଟିକେଟ ପାଇଁ ପରୋକ୍ଷ ଚାପ ପକାଇଛନ୍ତି ।
ଥମୁନି ବିଜେଡିର ଟିକେଟ୍ ଟେନସନ୍ । କେଉଁଠି ନେତା ଟିକେଟ ନପାଇ ସିଧା ଇସ୍ତଫା ପତ୍ର ଦଳ ସୁପ୍ରିମୋଙ୍କ ପାଖକୁ ପଠାଇ ଦେଉଛନ୍ତି । ତ ଆଉ କେଉଁଠି ସମର୍ଥକମାନେ ରାଲିରେ ଆସି ନବୀନ ନିବାସ ଆଗରେ ନେତାଙ୍କ ପାଇଁ ଟିକେଟ ଦାବି କରୁଛନ୍ତି । ଆଉ କେତେବେଳେ ପ୍ରାର୍ଥୀ ଖୋଦ୍ ଟିକେଟ ନେଇ ନବୀନ ନିବାସରୁ ବାହାରୁ ବାହାରୁ ତାଙ୍କ ବିରୋଧରେ ବାହାରୁଛି ବିଶାଳ ରାଲି ।

ଆଜି ଦିନ ତମାମ ବିଜେଡିରେ ଏଭଳି ହାଇଡ୍ରାମା ସାମ୍ନାକୁ ଆସିଛି । ବରିଷ୍ଠ ସାଂସଦ ଅର୍ଜୁନ ସେଠୀ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପୁଅଙ୍କୁ ଟିକେଟ ଦିଆନଯିବାରୁ ସେ ଖପ୍ପା ହୋଇଛନ୍ତି । ତେବେ ତାଙ୍କୁ ନବୀନ ନିବାସକୁ ଡାକି ଯେଭଳି ୪ ଘଣ୍ଟା ବସିଲା ପରେ ବି ସୁପ୍ରିମୋଙ୍କୁ ଭେଟ ସୁଯୋଗ ମିଳିଳା ନାହିଁ ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେଣୁ ସେ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ।
ସେପଟେ ବାଲେଶ୍ବର ଜିଲ୍ଲାର ବରିଷ୍ଠ ବିଜେଡି ନେତା ରଘୁ ମହାନ୍ତି ଦଳରୁ ଇସ୍ତଫା ଦେଇନଥିଲେ ମଧ୍ୟ ଉଠାଜଳସେଚନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏଭଳି କରି ସେ ସିଧା ପ୍ରେସର ଗେମ୍ ଖେଳିଛନ୍ତି । ସଂକେତ ଦେଇଛନ୍ତି ବସ୍ତା ଆସନରୁ ଟିକେଟ ଦିଆ ନଗଲେ ସେ ବି ବିଜେପି ମୁହାଁ ହେବେ । ସେହିଭଳି ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ।

ଦାମ ରାଉତ ପୁଅଙ୍କୁ ବିଜେଡି ପାରାଦୀପ ଆସନ ପାଇଁ ଟିକେଟ ଦେଇଛି । ଏହାକୁ ବିରୋଧ କରିଛନ୍ତି ପାରାଦୀପର କିଛି ବିଜେଡି କର୍ମୀ । ନବୀନ ନିବାସ ଆଗରେ ବିରୋଧ ପ୍ରଦର୍ଶ କରି ସମ୍ବିତ ରାଉତଙ୍କ ଟିକେଟ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ।
ବାକିଥିବା ୨୮ ବିଧାନସଭା ଓ ୩ ଲୋକସଭା ପ୍ରାର୍ଥୀ ପାଇଁ ନବୀନ ନିବାସରେ ଆଜି ବି ଦିନ ତମାମ ଜୋରଦାର କସରତ ହୋଇଛି । ଆଶାୟୀମାନେ ଟିକେଟ ହାତେଇବା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଛନ୍ତି । କିନ୍ତୁ ନବୀନ ନିବାସ ଆଗରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ରାଜନଗର ବିଧାନସଭା ପାଇଁ ଧୃବ ସାହୁ ବିଜେଡି ଟିକେଟ ନେଇ ନବୀନ ନିବାସ ଭିତରୁ ବାହାରିଯିବାର ମାତ୍ର କିଛି କ୍ଷଣ ଭିତରେ ତାଙ୍କ ବିରୋଧରେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ନବୀନ ନିବାସ ଆଗରେ ନାରାବାଜି କରିଛନ୍ତି ।

ସେପଟେ ବରିରୁ ଟିକେଟ ଆଶାୟୀ ବିଜୟ ନାୟକଙ୍କ ସମର୍ଥକ ମାନେ ନବୀନ ନିବାସ ଆଗରେ ବିଶାଳ ରାଲି ବାହାର କରିବା ସହ ନାରାବାଜି କରିଛନ୍ତି । ଦେବାଶିଷ ନାୟକଙ୍କ ବଦଳରେ ଏଥର ବିଜୟ ନାୟକଙ୍କୁ ଟିକେଟ ଦେବାକୁ ସେମାନେ ଦାବି କରିଛନ୍ତି ।
ବାକି ଟିକେଟ ଖୁବଶିଘ୍ର ନବୀନ ଘୋଷଣା କରିବେ ବୋଲି ଦଳୀୟ ସୂତ୍ରରୁ ଜଣା ପଡିଛି । ଯେହେତୁ ଟିକେଟରୁ ବଞ୍ଜିତ ଆଶାୟୀମାନେ କଥା ନମାନି ଅନ୍ୟଦଳକୁ ଲମ୍ଫ ମାରୁଛନ୍ତି । ସେଥିପାଇଁ ଦଳକୁ ବେଶ କସରତ କରିବାକୁ ପଡୁଛି । କେବଳ ବିଜେଡି ନୁହଁ, ଏଥର ଟିକେଟ ବଣ୍ଟା ଗଣିତ ସବୁ ଦଳପାଇଁ ଜଟିଳ ହେଉଛି ।