ସରପଞ୍ଚଙ୍କୁ ଓ୍ୱାର୍ଡମେମ୍ବରଙ୍କ ଅନାସ୍ଥା ଅସାମ୍ବିଧାନିକ : ହାଇକୋର୍ଟରେ ମାମଲା

Published By : Prameya-News7 Bureau | May 06, 2021 IST

କଟକ ୦୬/୦୫: ସରପଞ୍ଚମାନେ ସିଧାସଳଖ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଅର୍ଥାତ ସେମାନେ ପ୍ରତ୍ୟେକ୍ଷ ନିର୍ବାଚନରେ ଭାଗ ନେଇ ସରପଞ୍ଚ ପଦବି ଅଳଙ୍କୃତ କରିଥାନ୍ତି । କିନ୍ତୁ ୱାର୍ଡ ମେମ୍ବରମାନେ ଅନାସ୍ଥାପ୍ରସ୍ତାବ ଆଣି ତାଙ୍କୁ ଗାଦିରୁ ହଟାଇ ଦେଇଥାନ୍ତି । ଯାହା କି ଅଗଣତାନ୍ତ୍ରିକ, ଅସମ୍ବିଧାନିକ । ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪ର ଧାରା ୨୪ରେ ୱାର୍ଡ ମେମ୍ବରମାନଙ୍କୁ ଏହି କ୍ଷମତା ଦିଆଯାଇଛି । ତେଣୁ ଏହି ଆଇନକୁ ହଟାଇବା ଲାଗି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି ।

ଭାରତୀୟ ଆଇନଜୀବୀ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ମାମଲା ରୁଜୁ କରିଛନ୍ତି । ସେ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ ଏମାନେ ସମସ୍ତେ ପ୍ରରୋକ୍ଷ ଭାବେ ଏହି ପଦବି ଅଳଙ୍କୃତ କରିଥାନ୍ତି । ସିଧାସଳଖ ଏହି ପଦବି ପାଇଁ ସେମାନେ ନିର୍ବାଚିତ ହୋଇନଥାନ୍ତି । କିନ୍ତୁ ଯଦି ଜଣେ ସରପଞ୍ଚଙ୍କ କଥା ଦେଖାଯାଏ ତାହେଲେ ସେ ସିଧାସଳଖ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । କିନ୍ତୁ ସେମାନଙ୍କୁ ୱାର୍ଡ ମେମ୍ବରମାନେ ଅନାସ୍ଥାପ୍ରସ୍ତାବ ଆଣି ତାଙ୍କ ପଦବିରୁ ହଟାଇ ଦେଇପାରନ୍ତି । ଯେଉଁମାନଙ୍କ ସରପଞ୍ଚଙ୍କ ନିର୍ବାଚନରେ ପ୍ରତ୍ୟେକ୍ଷ ଭାବେ କୌଣସି ଭୂମିକା ନଥାଏ । ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪ ଧାରା ୨୪ରେ ୱାର୍ଡ ମେମ୍ବରମାନଙ୍କୁ ଏହି କ୍ଷମତା ଦିଆଯାଇଛି । ତେଣୁ ଏହି ଆଇନକୁ ଉଚ୍ଛେଦ କରାଯିବାର ଆବଶ୍ୟକତା ରହିଛି । ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ଆଇନ ବଳବତ୍ତର ରହିଛି ।

ଯଦି କୌଣସି ସରପଞ୍ଚ ସେମାନଙ୍କ କଥାରେ ନରୁହନ୍ତି ତାହେଲେ ଏହି ଆଇନ ବଳରେ ସେମାନେ ୱାର୍ଡ ମେମ୍ବରମାନଙ୍କୁ ବ୍ୟବହାର କରି ତାଙ୍କୁ କ୍ଷମତାରୁ ହଟାଇ ଦିଅନ୍ତି । ଅପରପକ୍ଷରେ ୧୯୯୩ ମସିହାରେ ୭୩ ତମ ସଂଶୋଧନ କରାଯାଇ ଗ୍ରାମପଞ୍ଚାୟତଗୁଡିକୁ ୨୯ଟି ବିଭାଗର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । କିନ୍ତୁ ଅଦ୍ୟାବଧି ରାଜ୍ୟ ସରକାର ଏସବୁ କ୍ଷମତାକୁ ଗ୍ରାମପଞ୍ଚାୟତଗୁଡିକୁ ପ୍ରଦାନ କରୁନାହାନ୍ତି । ତେଣୁ ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏଥିରେ ରାଜ୍ୟ ମୁଖ୍ୟ ଶାସନସଚିବ, ପଞ୍ଚାୟତିରାଜ ବିଭାଗ ସଚିବ, ଆଇନ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.