ଆଇନଜୀବୀ ଶିବଶଙ୍କରଙ୍କୁ ହାଇକୋର୍ଟ ବାରର କାରଣ ଦର୍ଶାଅ ନୋଟିସ୍- କାହିଁକି ହାଇକୋର୍ଟ ବାର୍ ସଦସ୍ୟ ପଦରୁ ବାଦ୍ ଦିଆ ନ ଯିବ
23/10/2019 at 5:36 PM

କଟକ ୨୩ ।୧୦ – ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମ୍ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଆଇନଜୀବୀ ସମୁହ । ସୁପ୍ରିମ କୋର୍ଟଙ୍କୁ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି ଏବଂ ଏଥି ଲାଗି ଆଡଭୋକେଟ୍ ଶିବଶଙ୍କର ମିଶ୍ର ଦାୟୀ କରିଛି ଜଏଣ୍ଟ ଆକ୍ସନ କମିଟି । ତାଙ୍କୁ କାହିଁକି ହାଇକୋର୍ଟ ବାର୍ ସଦସ୍ୟ ପଦରୁ ବାଦ୍ ଦିଆନଯିବ ବୋଲି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ପାଲଟା ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର ପାଇଁ ସାନି ବୈଠକରେ ନିଷ୍ପତ୍ତି ହୋଇଛି ।

ଆଇନଜୀବୀ ଆନ୍ଦୋଳନ ମାମଲାରେ ସୁପ୍ରିମ୍ କୋର୍ଟ କଠୋର ଆଭିମୁଖ୍ୟ ଦେଖାଇବା ପରେ ଏହାକୁ ନେଇ ବେଶ୍ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଆଇନଜୀବୀ ସମୂହ । ଆଇନଜୀବୀ ଶବଶଙ୍କର ମିଶ୍ରଙ୍କ ଦ୍ବାରା ସୁପ୍ରିମକୋର୍ଟରେ ରଖାଯାଇଥିବା ବିଭ୍ରାନ୍ତିକର ତଥ୍ୟ ପାଇଁ ସର୍ବୋଚ୍ଚ ଅଦାଲତ ଏଭଳି ଆଭିମୁଖ୍ୟ ଦେଖାଇଥିବା କୁହାଯାଇଛି । ତାଙ୍କୁ କାହିଁକି ହାଇକୋର୍ଟ ବାର୍ ସଦସ୍ୟ ପଦରୁ ବାଦ୍ ଦିଆ ନଯିବ ବୋଲି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । , ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଗୋପାଳ କୃଷ୍ଣ ମହାନ୍ତି ଏ ବିଷୟରେ ସୂଚନା ଦେଇଛନ୍ତି ।

ନ୍ୟାୟାଳୟ ହେଉଛି ନ୍ୟାୟର ମନ୍ଦିର । କୋର୍ଟରେ ରହି ମହକିଲଙ୍କୁ ନ୍ୟାୟ ଦେବାରେ ସହାୟତା କରିବା ହେଉଛି ଆଇନଜୀବୀଙ୍କ କର୍ତ୍ତବ୍ୟ । ନ୍ୟାୟପାଳିକାକୁ ଅଚଳ କିମ୍ବା ସ୍ଥାଣୁ କରାଯାଇପାରିବ ନାହିଁ । ଆବଶ୍ୟକ ପଡ଼ିଲେ ଅଦାଲତରେ ଅର୍ଦ୍ଧ ସାମରିକ ବଳ ମୁତୟନ ପାଇଁ ନିର୍ଦେଶ ଦିଆଯାଇପାରେ । ଆଇନଜୀବୀ ଆନ୍ଦୋଳନ ସମ୍ପର୍କିତ ମାମଲାର ଶୁଣାଣି କରି ଗତକାଲି ଏଭଳି କିଛି ଆଭିମୁଖ୍ୟ ଦେଖାଇଥିଲେ ସର୍ବୋଚ୍ଚ ଅଦାଲତ । ତେବେ ମାମଲାର ଶୁଣାଣି ବେଳେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ତରଫରୁ ଦିଆଯାଇଥିବା ରିପୋର୍ଟରେ ଏହା ଉଲ୍ଲେଖ ଥିଲା ଯେ, କୋର୍ଟ କାର୍ଯ୍ୟ ଚଳାଇବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟକୁ ଆଧାର କରି, ସୁପ୍ରିମ କୋର୍ଟ କିଛି ଏହିଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେଥିଲାଗି ଶିବଶଙ୍କରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାପାଇଁ ମଧ୍ୟ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି ।

ଓକିଲ ଆନ୍ଦୋଳନକୁ ଭିତ୍ତି କରି ହାଇକୋର୍ଟ ନିଜ ଆଡୁ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ଯାହା ଉପରେ ଆସନ୍ତା ୪ ତାରିଖରେ ଶୁଣାଣି ହେବ। ତେଣେ ସମାନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଗୁରୁବାର ହେବାରେ ଅଛି । ଏମିତିରେ ରାଜ୍ୟରେ ଚାଲିଥିବା ଓକିଲ ଆନ୍ଦୋଳନ, କେତେବେଳେ କେଉଁ ମୋଡ ନେବ , ତାହା ଏବେ ଠାରୁ କହିବା ମୁସକିଲ୍ ।

ସେପଟେ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ କରିବା ଲାଗି କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖାଯିବ । ଏଥି ପାଇଁ ଆଇନଜୀବୀଙ୍କ ଏକ ପ୍ରତିନିଧି ମଣ୍ଡଳି ଦିଲ୍ଲୀ ବାହାରିଛନ୍ତି ।