ବୋହୂ ପ୍ରତି ସହାନୁଭୂତି ରହୁ: ହାଇକୋର୍ଟ

Published By : Prameya-News7 Bureau | July 17, 2020 IST

କଟକ,୧୭/୦୭: ବୋହୂ ପ୍ରତି ଶାଶୂ ଘରେ ତାଙ୍କ ସ୍ୱାମୀ ଏବଂ ପରିବାର ବର୍ଗଙ୍କ ସହାନୁଭୂତି ରହିବା ଦରକାର । ବୋହୂଙ୍କର ଉପଯୁକ୍ତ ଯତ୍ନ ଓ ତାଙ୍କ ଭାବାବେଗ ପ୍ରତି ସମ୍ମାନ ଦିଆଯିବା ଉଚିତ । ଜଣେ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଜାମିନ ଦେବା ଅବସରରେ ହାଇକୋର୍ଟ ଏଭଳି ମତବ୍ୟକ୍ତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଅଙ୍କିଆ ଥାନା ଅଞ୍ଚଳର କିଶୋର ଚନ୍ଦ୍ର ମହାନ୍ତିଙ୍କ ଜାମିନ୍‌ ଆବେଦନର ଶୁଣାଣି ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଏଭଳି ମତବ୍ୟକ୍ତ କରିଛନ୍ତି ।

ମାମଲାରୁ ପ୍ରକାଶ, ଶଶାଙ୍କ ମହାନ୍ତିଙ୍କ ଭଉଣୀ ୨୦୦୦ ମସିହାରେ ଅଭିଯୁକ୍ତ କିଶୋର ମହାନ୍ତିଙ୍କୁ ବିବାହ କରିଥିଲେ । ବିବାହ ପରେ ଶାଶୂଘରେ ପ୍ରଥମେ ଯୌତୁକ ପାଇଁ ଓ ପରେ ପିଲା ନହେବାରୁ ଅତ୍ୟାଚାର କରାଗଲା । ଏହାପରେ ଅଭିଯୁକ୍ତ କିଶୋର ଅନ୍ୟ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଫଳରେ ଶଶାଙ୍କଙ୍କ ଭଉଣୀ ବାପ ଘରକୁ ପଳାଇଥିଲେ । ପରେ କିଶୋର ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ଯାଇ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ଶାଶୂଘରକୁ ଫେରିବା ପରେ ରୋଜାଲିନ୍‌ଙ୍କ ପିଲାର ଲାଳନପାଳନକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଏହାକୁ କେନ୍ଦ୍ର କରି ଶଶାଙ୍କଙ୍କ ଭଉଣୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଅଭିଯୋଗ ଆଧାରରେ କିଶୋରଙ୍କୁ ପୁଲିସ୍‌ ଗିରଫ କରିଥିଲା । ଏହି ମାମଲାରେ ପୁଲିସ୍‌ ଅନ୍ୟାନ୍ୟ ଦଫା ସହ କିଶୋରଙ୍କ ବିରୋଧରେ ଆଇପିସିର ଦଫା ୩୦୧ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଏବଂ ଦଫା ୪୯୮(ଏ)(ସ୍ୱାମୀ କିମ୍ବା ସ୍ୱାମୀଙ୍କ ପରିବାର କେହି ନିର୍ଯାତନା ଦେବା) ଲଗାଇଥିଲା । ଏହି ଦୁଇଟି ଦଫା ପାଇଁ ଯେଉଁସବୁ ଅଭିଯୋଗ ରହିଛି ତାହା ଯଥେଷ୍ଟ ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ତେଣୁ ଏହି ଘଟଣାରେ ଯେଉଁ ଜଟିଳତା ରହିଛି ତାହା ଟ୍ରାଏଲ କୋର୍ଟରେ ଉତ୍ତମ ବିଚାର ହୋଇପାରିବ । ଏସବୁକୁ ଦୃଷ୍ଟିରେ ରଖି ହାଇକୋର୍ଟ ଅଭିଯୁକ୍ତ କିଶୋରଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.