ଲାଲୁଙ୍କ ଜେଲ ମାନୁଆଲ ଉଲ୍ଲଂଘନ ମାମାଲା: କୋର୍ଟ କହିଲେ- ସରକାର ଆଇନରେ ଚାଲେ, ବ୍ୟକ୍ତିବିଶେଷଙ୍କ ଦ୍ୱାରା ନୁହେଁ

Published By : Prameya-News7 Bureau | January 08, 2021 IST

ରାଞ୍ଚୀ ୮।୧: ଗୋଖ୍ୟାଦ୍ୟ ଦୁର୍ନୀତି ମାମଲାରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜେଲ ମାନୁଆଲ ଉଲ୍ଲଂଘନ ମାମଲାର ଝାଡଖଣ୍ଡ ଉଚ୍ଚନ୍ୟାୟାଳୟ ଶୁଣାଣି କରିଛନ୍ତି। ଏଥିରେ ଅନ୍ୟ ବିକଳ୍ପ ଲାଗି ଚର୍ଚ୍ଚା ଅଥବା ଉଚ୍ଚଅଧିକାରୀଙ୍କ ପରାମର୍ଶ ବିନା ‘ରିମସ୍‌’ ନିର୍ଦ୍ଦେଶକଙ୍କ ବଙ୍ଗଳାରେ ଲାଲୁଙ୍କୁ ରଖାଯାଇଥିବାରୁ ହାଇକୋର୍ଟ ଗମ୍ଭୀର ମନ୍ତବ୍ୟ ଦେଇଛନ୍ତି।

ଉଚ୍ଚନ୍ୟାୟାଳୟଙ୍କ ବିଚାରପତି ଜଷ୍ଟିସ୍‌ ଅପରେସ ସିଂହ ମାମଲାର ଶୁଣାଣି କରି ସରକାର ଆଇନରେ ଚାଲନ୍ତି ବ୍ୟକ୍ତିବିଶେଷଙ୍କ ଦ୍ୱାରା ନୁହଁ ବୋଲି କହିଛନ୍ତି। ଏହା ଛଡା କୋର୍ଟ ମାମଲାରେ ରାଜ୍ୟ ସରକାର ଓ ଜେଲ ବିଭାଗ ଆଇଜିଙ୍କୁ ନିୟମାବଳୀ (ଏସଓପି) ମାଗିଛନ୍ତି। ତେବେ ମାମଲାରେ ଜେଲ ବିଭାଗ ପ୍ରଥମରୁ ନିଜକୁ ପୃଥକ କରିଦେଇଥିଲେ। ରିମସ୍‌ ଚିକିତ୍ସାଧିନ ଲାଲୁଙ୍କୁ ହସ୍ପିଟାଲରୁ ନିର୍ଦ୍ଦେଶକଙ୍କ ବଙ୍ଗଳାକୁ ସିଫ୍ଟ କରିବା ଲାଗି ଜେଲ ଅଧିକ୍ଷକ ନିଷ୍ପତ୍ତି ନେଇ ନଥିଲେ ବୋଲି କୋର୍ଟଙ୍କୁ କହିଥିଲେ।

ତେବେ ଶୁକ୍ରବାର ଶୁଣାଣି ବେଳେ ଜେଲ ବିଭାଗ ଆଇଜି କୋର୍ଟଙ୍କୁ ରିପୋର୍ଟ ଦେଇଛନ୍ତି। ଏଥିରେ କରୋନା ସଂକ୍ରମଣରୁ ସୁରକ୍ଷା ଲାଗି ରିମସ୍‌ ପ୍ରବନ୍ଧନ ଲାଲୁଙ୍କୁ ନିର୍ଦ୍ଦେଶକଙ୍କ ବଙ୍ଗଳାକୁ ସିଫ୍ଟ କରିଥିଲେ ବୋଲି କୁହାଯାଇଛି। ସେହିପରି ଜେଲରୁ କୈଦୀ ଚିକିତ୍ସା ଲାଗି ସିଫ୍ଟ ହେଲେ ତାଙ୍କର ସୁରକ୍ଷା ବ୍ୟବସ୍ଥା କିପରି କରାଯିବ ସେ ନେଇ ଜେଲ ମାନୁଆଲରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନଥିବା କୁହାଯାଇଛି। ସୂଚନା ଯୋଗ୍ୟଯେ ଲାଲୁ ପ୍ରସାଦ ଯାଦବ ରିମସ୍‌ ରେ ଚିକିତ୍ସାଧିନ ଥିବା ବେଳେ କରୋନା ବ୍ୟାପିଥିଲା। ଏଣୁ କୋଭିଡରୁ ରୋଗୀଙ୍କୁ ସୁରକ୍ଷିତ ରଖିବା ଲାଗି ନିଆଯାଇଥିବା ପଦକ୍ଷେପରେ ପେଇଂ ୱାର୍ଡରେ ରହି ଚିକିତ୍ସିତ ହେଉଥିବା ଲାଲୁଙ୍କୁ ରିମ୍‌ସ ନିର୍ଦ୍ଦେଶକଙ୍କ ବଙ୍ଗଳାରେ ରଖା ଯାଇଥିଲା। ଏ ନେଇ ହାଇକୋର୍ଟରେ ପିଆଇଏଲ ଫାଇଲ ହେବା ପରେ ଝାରଖଣ୍ଡ ରାଜ୍ୟ ସରକାର ତରବରିଆ ଭାବେ ବ୍ୟବସ୍ଥା ସଜାଡିବାରେ ଲାଗିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.