ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ SRC : ହାଇକୋର୍ଟ

Published By : Prameya-News7 Bureau | October 29, 2021 IST

କଟକ ୨୯।୧୦: ଦୀପାବଳିରେ ଗ୍ରୀନ୍ କ୍ରାକର ବା ସବୁଜ ବାଣ ବିକ୍ରି ହୋଇପାରିବକୁ ନାହିଁ ସେ ନେଇ ନିଷ୍ପତ୍ତି ନେବେ ସ୍ବତନ୍ତ୍ର ରିଲିଫ କମିଶନର । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କୁ ନିର୍ଦ୍ଦେଶ ମୁତାବକ ଶନିବାର ଦିନ ୧୧ଟାରେ ବାଣ ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ ଏସଆରସି । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶାବଳୀ ଏବଂ କୋଭିଡ଼ ପ୍ରୋଟକଲକୁ ଦୃଷ୍ଟିରେ ରଖିବାକୁ ହାଇକୋର୍ଟ, ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଦିନ ୧୧ଟାରୁ ଆରମ୍ଭ କରି ମଧ୍ୟାହ୍ନ ୧ଟା ମଧ୍ୟରେ ଶୁଣାଣି ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ପରେ ଆସନ୍ତା ସୋମବାର ଦିନ ସାଢେ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ, ଏସଆରସି ହାଇକୋର୍ଟରେ ଦାଖଲ କରିବେ। ସେହିଦିନ ଅପରାହ୍ନ ୨ଟା ସମୟରେ ହାଇକୋର୍ଟ ମାମଲାର ଚୂଡାନ୍ତ ଶୁଣାଣି କରିବେ ବୋଲି ନିଷ୍ପତ୍ତି ହୋଇଛି । ପୂର୍ବରୁ ଓଡ଼ିଶା କ୍ରାକର ଡିଲର୍ସ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । କୋଭିଡ୍ କଟକଣା ଭିତରେ ଏବଂ କେବଳ ଗ୍ରୀନ୍ କ୍ରାକର ବିକ୍ରି ପାଇଁ କୋର୍ଟଙ୍କୁ ଅନୁମତି ଲୋଡିଥିଲା ଆସୋସିଏସନ୍ । ତେବେ ଆସୋସିଏସନ୍ ର ବୈଧତା ଉପରେ ହାଇକୋର୍ଟ ପ୍ରଶ୍ନ କରିବା ସହ ଆବେଦନ ପ୍ରତ୍ୟାହାର କରିନେବା ଲାଗି ପିଟିସନରଙ୍କୁ ପରାମର୍ଶ ଦେଇଥିଲେ, ଏବଂ ବାଣ ବ୍ୟବସାୟୀମାନେ ଚାହିଁଲେ ବ୍ୟକ୍ତିଗତ ଭାବେ ପୁନର୍ବାର ଆବେଦନ କରି ପାରିବେ ବୋଲି ଗତ ୨୫ ତାରିଖରେ ହାଇକୋର୍ଟ କହିଥିଲେ । ଉକ୍ତ ରାୟ ଆଧାରରେ କିଛି ବାଣ ବ୍ୟବସାୟୀ ପୁନଃ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.