ଆପଣଙ୍କ ସିଷ୍ଟମ ଫେଲ୍... ଦିଲ୍ଲୀ ସରକାରଙ୍କୁ ହାଇକୋର୍ଟଙ୍କ କଡା ଭର୍ତ୍ସନା, କହିଲେ- ଯଦି ସ୍ଥିତି ସମ୍ଭାଳି ପାରୁନ ଆମେ କେନ୍ଦ୍ରକୁ କହିବୁ

Published By : Prameya-News7 Bureau | April 27, 2021 IST

ନୂଆଦିଲ୍ଲୀ ୨୭।୦୪: କରୋନାର ଭୟାବହତା କାରଣରୁ ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍ ଘୋର ଅଭାବ ଦେଖିବାକୁ ମିଳିଛି। ମହାମାରୀରେ ଉତ୍ପନ ସ୍ଥିତିକୁ ଦେଖି ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ମଧ୍ୟ ଦିଲ୍ଲୀ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। କୋର୍ଟ ଅକ୍ସିଜେନ୍‌ର କଳାବଜାରୀକୁ ନେଇ କହିଛନ୍ତି ଯେ, ସରକାରଙ୍କ ସିଷ୍ଟମ କୌଣସି କାମରେ ନୁହେଁ। ସିଷ୍ଟମ ସଂପୂର୍ଣ୍ଣ ବିଫଳ ହୋଇ ଯାଇଛି। ଯଦି ଆପଣଙ୍କ ଅଧିକାରୀ ଅବସ୍ଥା ସମ୍ଭାଳି ପାରୁ ନାହାନ୍ତି ତେବେ ଜଣାନ୍ତୁ, ଆମେ କେନ୍ଦ୍ରୀୟ ଅଧିକାରୀଙ୍କୁ ନିୟୋଜିତ କରିବୁ। ଲୋକଙ୍କୁ ଆମେ ଏମିତି ମରିବାକୁ ଦେଇ ପାରିବୁ ନାହିଁ। ରେମଡେସିଭିରର ଅଭାବକୁ ନେଇ ଅଦାଲତ କେନ୍ଦ୍ର ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି।

ଆପଣଙ୍କ ସିଷ୍ଟମ ସଂପୂର୍ଣ୍ଣ ବିଫଳ

ଦେଶର ରାଜଧାନୀରେ ଅକ୍ସିଜେନ୍‌ର ଅଭାବ ଏବଂ ରୋଗୀ ଭଗୁଥିବା ଅସହ୍ୟ ଯନ୍ତ୍ରଣା ଉପରେ ଦିଲ୍ଲୀ ସରକାରଙ୍କୁ ହାଇକୋର୍ଟ ତୀବ୍ର ଭର୍ତ୍ସନା କରି କହିଛନ୍ତି ଯେ, ଆପଣଙ୍କ ସିଷ୍ଟମ କୌଣସି କାମର ନୁହେଁ। ଆପଣଙ୍କ ସିଷ୍ଟମ ପୂରା ଫେଲ୍ ମାରିଛି। ଆପଣ କଳାବଜାରୀ ଉପରେ ମଧ୍ୟ ଲଗାମ ଲଗାଇ ପାରୁ ନାହାନ୍ତି। ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ଏଭଳି ସଙ୍କଟଜନକ ସମୟରେ ଲୋକେ କେମିତି ଜରୁରୀ ଔଷଧର ଜମାଖୋରି କରୁଛନ୍ତି। ଯଦି ଆପଣଙ୍କର ଅଧିକାରୀ ସ୍ଥିତି ସମ୍ଭାଳି ପାରୁ ନାହାନ୍ତି ତେବେ ଆମକୁ ଜଣାନ୍ତୁ ଆମେ କେନ୍ଦ୍ରୀୟ ଅଧିକାରୀଙ୍କୁ ନିୟୋଜିତ କରିବୁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

ବିଚାରପତି ବିପିନ ସାଙ୍ଘୀ ଓ ରେଖା ପଲ୍ଲୀଙ୍କ ପୀଠ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ, ସରକାର ସେହି ପ୍ଲାଣ୍ଟକୁ ନିଜ ହାତକୁ ନିଅନ୍ତୁ ଯିଏ ଆମ ଆଦେଶ ସତ୍ତ୍ଵେ ଶୁଣାଣିରେ ସାମିଲ ହୋଇ ନାହିଁ। କୋର୍ଟ ଉକ୍ତ ପ୍ଲାଣ୍ଟକୁ ଅବମାନନା ନୋଟିସ୍ ପଠାଇବାକୁ ଚେତାବନୀ ଦେଇଛନ୍ତି। ହାଇକୋର୍ଟ ସରକାରଙ୍କୁ ସେହି ପ୍ଲାଣ୍ଟର ଷ୍ଟକ୍‌କୁ ନେଇ ଅକ୍ସିଜେନ ଆବଣ୍ଟନ କରନ୍ତୁ।

ଏହା ବ୍ୟତୀତ ଦିଲ୍ଲୀ  ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର କେନ୍ଦ୍ର ଏବଂ ଆପ୍ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ଯେବେ କୋଭିଡ୍-୧୯ ରୋଗୀଙ୍କୁ ବ୍ୟାପକ ଭାବେ ରେମଡେସିଭିର ଔଷଧ ନେବାକୁ ପରାମର୍ଶ ଦିଆଯାଉଛି ତେବେ ରାଜଧାନୀ ଦିଲ୍ଲୀରେ ଏହାର ଅଭାବ କଣ ପାଇଁ ପଡୁଛି। ଏହା ଉପରେ କେନ୍ଦ୍ର କହିଛନ୍ତି ଯେ, ରେମଡେସିଭିରର ସେବନ କେବଳ ହସ୍ପିଟାଲରେ କରାଯାଇ ପାରିବ। ଅଦାଲତ କହିଛନ୍ତି, ଯେବେ  ହସ୍ପିଟାଲରେ ରୋଗୀଙ୍କ ପାଇଁ ଅକ୍ସିଜେନ୍ ଓ ଶଯ୍ୟା ନାହିଁ ତେବେ ସେମାନେ ଏହି ଔଷଧକୁ କେମିତି ସେବନ କରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.