ପରୀ ହତ୍ୟା ମାମଲା: SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ, ମାର୍ଚ୍ଚ ୨୫ରେ ପରବର୍ତ୍ତୀ ଶୁଣାଣି- ବିଜେଡି
17/01/2021 at 9:17 PM

ଭୁବନଶ୍ବେର ୧୭/୦୧: ପରୀ ହତ୍ୟା ଘଟଣାରେ ଏସ୍ଆଇଟି କରିଥିବା ତଦନ୍ତରେ ଓଡ଼ିଶା ହାଇକୋର୍ଟ ସନ୍ତୁଷ୍ଟ ଅଛନ୍ତି ବୋଲି ବିଜେଡି କହିଛି। ଏସଆଇଟି ପକ୍ଷରୁ ଦିଆଯାଇଥିବା ୩ଟି ଷ୍ଟାଟସ୍ ରିପୋର୍ଟରେ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଥିବା ବେଳେ ପରବର୍ତ୍ତିୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି।
ପରୀ ହତ୍ୟା ମାମଲାରେ ତଦନ୍ତ ଲାଗି ଓଡ଼ିଶା ହାଇକୋର୍ଟଙ୍କ ତତ୍ବାବଧାନରେ ଏସ୍ଆଇଟି ଗଠନ ପାଇଁ ୨୦୨୦ ନଭେମ୍ବର ୨୭ ତାରିଖରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା । ନଭେମ୍ବର ୨୮ ତାରିଖରେ ଓଡ଼ିଶା ସରକାର ଏସ୍ଆଇଟି ଗଠନ ନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିବା ସହିତ ଏସ୍ଆଇଟି ତଦନ୍ତର ମନିଟରିଂ ନେଇ ଅଦାଲତଙ୍କୁ ଅନୁରୋଧ କରିଥିଲେ ବୋଲି ଲେନିନ ମହାନ୍ତି କହିଛନ୍ତି ।
ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି , ଏସ୍ଆଇଟି ତାହାର ତଦନ୍ତର ଅଗ୍ରଗତି ନେଇ ନିୟମିତ ଭାବେ ଓଡ଼ିଶା ହାଇକୋର୍ଟଙ୍କୁ ଷ୍ଟାଟସ୍ ରିପୋର୍ଟ ଦେଇଆସୁଛନ୍ତି । ଚଳିତ ବର୍ଷ ଜାନୁଆରୀ ୧୨ ତାରିଖରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଏସ୍ଆଇଟି ଦ୍ବାରା ଦିଆଯାଇଥିବା ତିନୋଟି ଷ୍ଟାଟସ୍ ରିପୋର୍ଟକୁ ଅନୁଧ୍ୟାନ କରି ସନ୍ତୋଷବ୍ୟକ୍ତ କରିବା ସହିତ ମାର୍ଚ୍ଚ ୨୫ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
ଅନ୍ୟପଟେ ବିଜେପି ଓଡ଼ିଶା ପରୀ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ପ୍ରଥମ ଦିନରୁ ସମର୍ଥନ କରିବା ସହିତ ମନଗଢ଼ା ଆରୋପ ଓ ଶସ୍ତା ରାଜନୀତି ଚଳାଇଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।