Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଔଷଧ ଜମାଖୋରୀ: ଗୌତମ ଗମ୍ଭୀରଙ୍କ ବିରୋଧରେ ତଦନ୍ତ ଆଦେଶ ଦେଲେ ହାଇକୋର୍ଟ

24/05/2021 at 6:42 PM

ନୂଆଦିଲ୍ଲୀ ୨୪।୦୫: ଔଷଧ ଓ ଅକ୍ସିଜେନ୍ ବିତରଣ କରିଥିବା ବିଜେପି ସାଂସଦ ଗୌତମ ଗମ୍ଭୀର, ଆପ୍ ବିଧାୟକ ପ୍ରୀତି ତୋମାର ଓ ପ୍ରବୀଣ କୁମାରଙ୍କ ବିରୋଧରେ ତଦନ୍ତ ଆଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅଦାଲତ ସୋମବାର  ତିନି ଜନ ପ୍ରତିନିଧିଙ୍କ ବିରୋଧରେ ତଦନ୍ତ କରିବାକୁ ଡ୍ରଗ୍ସ କଣ୍ଟ୍ରାଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍-୧୯ ଚିକିତ୍ସାରେ ବ୍ୟବହୃତ ଔଷଧର ଅଭାବ ମଧ୍ୟରେ ଏହି ନେତାମାନେ ବଡ ପରିମାଣରେ ଔଷଧ କିଣିଥିଲେ।

ଅଦାଲତ କହିଛନ୍ତି ଯେ, ବିଜେପି ସାଂସଦ ଗୌତମ ଗମ୍ଭୀର ମହତ୍ ଉଦ୍ଦେଶ୍ୟରେ ଔଷଧ ବାଣ୍ଟୁଥିଲେ ମାତ୍ର ତାଙ୍କର ଏହି ଭାବନା ଅଜାଣତରେ  ଭୁଲ୍ କରି ଦେଇଛି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଆମ୍ ଆଦମୀ ପାର୍ଟିର ବିଧାୟକ ପ୍ରୀତି ତୋମାର ଓ ପ୍ରବୀଣ କୁମାରଙ୍କ ଦ୍ଵାରା ଅକ୍ସିଜେନ୍ କିଣିବା ଏବଂ ଜମାଖୋରୀ କରିବା ଅଭିଯୋଗ ମାମଲାର ତଦନ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଶୀଘ୍ର ଯାଞ୍ଚ ରିପୋର୍ଟ ଉପସ୍ଥାପନ କରିବାକୁ ଅଦଲାତ ଅଧିକାରୀଙ୍କୁ କହିଛନ୍ତି।

ବିଚାରପତି ବିପିନ ସଙ୍ଘି ଓ ବିଚାରଜପତି ଯଶମୀନ ସିଂହଙ୍କ ପୀଠ କହିଛନ୍ତି, ଡ୍ରଗ୍ସ କୋଣ୍ଟ୍ରଲର ଏହାର ଯାଞ୍ଚ କରିବେ ଯେ, କେମିତି ଲୋକଙ୍କୁ ଦୁଇ ହଜାର ଟଙ୍କାରେ ଫାବିଫ୍ଲ୍ୟୁ ଔଷଧ ମିଳିଲା। ଯେବେ ପୂର୍ବରୁ ଏହି ଔଷଧର ଘୋର ଅଭାବ ଥିଲା ତେବେ ଦୋକାନୀଙ୍କ ପାଖକୁ ଔଷଧ କେମିତି ଆସିଲା। ଗମ୍ଭୀର ମହତ ଉଦ୍ଦେଶ୍ୟରେ ଏହା  କରୁଥିଲେ। ତାଙ୍କର ଉଦ୍ଦେଶ୍ୟ ଉପରେ ଆମର କୌଣସି ସନ୍ଦେହ ନାହିଁ। ସେ ଆମ ଦେଶର ଜାତୀୟ ଖେଳାଳି। ମାତ୍ର ଆମର ପ୍ରଶ୍ନ ଏହା ଯେ, ଯେବେ ଆପଣ ଜାଣିଥିଲେ ବଜାରରେ ଔଷଧର ଅଭାବ ରହିଛି, ସେହି ସମୟରେ ଆପଣଙ୍କ ଔଷଧ ବିତରଣ କାର୍ଯ୍ୟ କଣ ଠିକ୍ କି ?

ପୀଠ କହିଛନ୍ତି, ଆମ ତାଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରୁନୁ। ମାତ୍ର ସେ ଯେଉଁଭଳି କାମ କରିଛନ୍ତି, ବାସ୍ତବରେ ତାହା ଭୁଲ୍ ଥିଲା। ସେ ଅଜାଣତରେ ହେଉ ପଛେ। ଆପଣ ବଜାରରୁ ଏତେ ମାତ୍ରା ଔଷଧ କିଣିବାର ତରିକା ଠିକ୍ ନୁହେଁ। ନ୍ୟାୟାଳୟ ଏକ ଜନସ୍ଵାର୍ଥ ମାମଲା ଉପରେ ଶୁଣାଣି କରି ଏହି ଟିପ୍ପଣୀ କରିଛନ୍ତି।

   Related Posts