ସମବାୟ ସମିତି ନିର୍ବାଚନ ପାଇଁ ବାଟ ଫିଟିଲା, ମାସେ ଭିତରେ ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | November 02, 2021 IST

କଟକ ୨।୧୧: ସମବାୟ ନିର୍ବାଚନ ପାଇଁ ରାସ୍ତା ଖୋଲିଲା । ନିର୍ବାଚନ ପାଇଁ ଏକ ମାସ ଭିତରେ ବିଜ୍ଞପ୍ତି ପ୍ରକାଶ କରିବା ଲାଗି ରାଜ୍ୟ ସମବାୟ ନିର୍ବାଚନ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯଥାଶୀଘ୍ର ନିର୍ବାଚନ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ନିର୍ବାଚନୀ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରିବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ଦେଢ଼ ବର୍ଷ ତଳୁ ସମବାୟ ସମିତି ଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହୋଇଗଲାଣି । ତେଣୁ ସମବାୟ ବ୍ୟାଙ୍କ୍ ଗୁଡ଼ିକର ମୁଖ୍ୟ ପ୍ରଶାସକର କାର୍ଯ୍ୟ ତୁଲାଇବା ଲାଗି ଜିଲ୍ଲାପାଳମାନଙ୍କୁ ଦାୟିତ୍ବ ଦିଆଯାଇଥିଲା।

ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ବି ପି ମାଝୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।  ଉକ୍ତ ଆବେଦନର ଶୁଣାଣି କରି ହାଇକୋର୍ଟ, ଜିଲ୍ଲାପାଳମାନଙ୍କୁ ସମବାୟ ବ୍ୟାଙ୍କ ମୁଖ୍ୟ ପ୍ରଶାସକ ଦାୟିତ୍ବମୁକ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।  ଯଥାଶୀଘ୍ର ନିର୍ବାଚନ କରାଇବା ପାଇଁ ସମବାୟ ନିର୍ବାଚନ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଚାଷୀ ଏବଂ ଲକ୍ଷାଧିକ ସ୍ଵୟଂ ସହାୟକ ଗୋଷ୍ଠୀ ସମବାୟ ସମିତିଗୁଡ଼ିକ ଉପରେ ନିର୍ଭରଶୀଳ । କିନ୍ତୁ ନିର୍ବାଚନ ହୋଇନଥିବା କାରଣରୁ ସମିତିଗୁଡ଼ିକ ସଠିକ୍ ଢଙ୍ଗରେ କାର୍ଯ୍ୟ କରୁନଥିଲା । ଏବେ କିନ୍ତୁ ନିର୍ବାଚନ ପାଇଁ ବାଟ ଫିଟିଥିବା ହେତୁ ଆଗକୁ କୃଷକ ଏବଂ ମହିଳାମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆବେଦନକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.