ବିଭ୍ରାନ୍ତିକର ଅଡିଓ ଭାଇରାଲ୍ ମାମଲା : ତଦନ୍ତରେ ସହଯୋଗ ପାଇଁ ଜାମିନ୍ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୩ ସପ୍ତାହ ପରେ ଶୁଣାଣି

Published By : Prameya-News7 Bureau | August 18, 2020 IST

କଟକ ୧୮।୮: କୋଭିଡ୍ ଯୋଦ୍ଧାଙ୍କ ସଂପର୍କରେ ବିଭ୍ରାନ୍ତିକର ଭାଇରାଲ୍ ଅଡିଓ ମାମଲାରେ ଓଡିଆ ଗଣମାଧ୍ୟମ ଓଟିଭିକୁ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତରେ ସହଯୋଗ କଲୋ ଗିରଫ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି । ହାଇକୋର୍ଟରେ ଓଟିଭି କର୍ତ୍ତୃପକ୍ଷ ଆଗୁଆ ଜାମିନ୍ ଆବେଦନ କରିଥିଲେ । ୩ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ ।

ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଅଡିଓ ଭାଇରାଲ୍ ମାମଲାରେ କୋର୍ଟ ଯାଇଥିଲା ସମ୍ ହସ୍ପିଟାଲ । ଏହି ପ୍ରସଙ୍ଗରେ ଓଟିଭି ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ । ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦାୟର ମାନହାନୀ ମକଦ୍ଦମାରେ ଓଟିଭି ସମେତ ଏହାର ୬ ଜଣ କର୍ମଚାରୀ ଏବଂ ଅଡିଓରେ ବାର୍ତ୍ତାଳାପ କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ସେହି ବିଭ୍ରାନ୍ତିକର ଭାଇରାଲ୍ ଅଡିଓରେ କୋଭିଡ୍ ସଂପର୍କରେ ଭୁଲ୍ ତଥ୍ୟ ସହ ସମ୍ ହସ୍ପିଟାଲ ବିରୋଧରେ ମନ୍ତବ୍ୟ ରହିଥିଲା । ସଂପକ୍ତ ଟେଲିଭିଜନ ଚ୍ୟାନେଲରେ ସେହି ଅଡିଓର ପ୍ରସାରଣ କରାଯାଇଥିଲା ।  

ବିଭ୍ରାନ୍ତିକର ଭାଇରାଲ୍ ଅଡିଓଟିକୁ ପ୍ରସାରଣ କରାଯାଇଥିବାରୁ ଓଟିଭି ଏବଂ ଏହାର ୬ କର୍ମଚାରୀଙ୍କ ବିରୋଧରେ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ ମାନହାନୀ କେସ୍ କରିଥିବା ବେଳେ ସେଥିରେ ଅଡ଼ିଓରେ କଣ୍ଠସ୍ବର ଥିବା ଲକ୍ଷ୍ମୀକାନ୍ତ ବେହେରା ଏବଂ ବିଶ୍ବଜିତ ମହାନ୍ତିଙ୍କ ବିରୋଧରେ ମଧ୍ୟ ମକଦ୍ଦମା ରୁଜୁ କରିଥିଲା ।

ହାଇଟେକ୍ ହସ୍ପିଟାଲ ପକ୍ଷରୁ ଓଟିଭି ବିରୋଧରେ ଅନୁରୂପ ମାମଲା ଦାୟର ହୋଇଥିଲା । ଅନ୍ୟପକ୍ଷରେ ଗିରଫ ପରେ ଜାମିନରେ ଛାଡ଼ ପାଇଥିବା ବିଶ୍ବଜିତ୍ ଏବଂ ଲକ୍ଷ୍ମୀକାନ୍ତ ମଧ୍ୟ ସଂପୃକ୍ତ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ବିଭ୍ରାନ୍ତିକାର ଭାଇରାଲ୍ ଅଡିଓରେ ସେମାନଙ୍କ ବାର୍ତ୍ତାଳାପକୁ ୨ ଅଭିଯୁକ୍ତ ବିଶ୍ବଜିତ ଏବଂ ଲକ୍ଷ୍ମୀକାନ୍ତ ସ୍ବୀକାର କରିଥିଲେ ମଧ୍ୟ, ଏଥିରେ କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା ବୋଲି ଆଗରୁ କହିଥିଲେ ।

ଏପରି କି ସୋସିଆଲ ମିଡିଆରେ ତାହା ଭାଇରାଲ୍ ହେବା ଏବଂ ସଂପକ୍ତ ଟିଭିରେ ତାର ପ୍ରସାରଣରେ ସେମାନଙ୍କ କିଛି ଭୂମିକା ନଥିଲା ବୋଲି କହିସାରିଛନ୍ତି। ଅନ୍ୟପକ୍ଷରେ କୋଭିଡ୍ ଜନିତ ଅସାଧାରଣ ପରିସ୍ଥିତିରେ ଭୟ ଆଉ ଆତଙ୍କ ସୃଷ୍ଟିକାରୀ କୌଣସି ପ୍ରକାର ଭୁଲ୍ ବା ବିଭ୍ରାନ୍ତିକର ତଥ୍ୟ କିମ୍ବା ଖବର ନ ଦେବାକୁ ତାହାର ପ୍ରଚାର ନ କରିବାକୁ ସ୍ପଷ୍ଟ ଭାବେ ବାରଣ ଥିବାବେଳେ ବିଭ୍ରାନ୍ତିକର ଭାଇରାଲ୍ ଅଡିଓକୁ ନେଇ ସାଧାରଣରେ ନାପସନ୍ଦ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.