ମୁମ୍ବାଇ ୨୮/୧୧: ପୂର୍ବତନ ପତ୍ନୀଙ୍କୁ ତୁରନ୍ତ ବକେୟା ଭରଣ ପୋଷଣ ଦେବାକୁ ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗରାଲେଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଜଷ୍ଟିସ୍ ଏ.ଏ ସୟଦ ଏବଂ ଏସ.ଜି ଡିଗେଙ୍କ ଖଣ୍ଡପୀଠ ନଭେମ୍ବର ୧୫ ତାରିଖରେ ରାୟ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଭରଣ ପୋଷଣ ବାବଦକୁ ଟଙ୍କା ବଢ଼ାଇବା ସହ ନାଗପୁର କିମ୍ବା ପୁଣେରେ ବାସଭବନ ଦାବି କରି ହେମନ୍ତ ନାଗରାଲେଙ୍କ ପୂର୍ବତନ ପତ୍ନୀ ପ୍ରତିମା ଓରଫ ରାଣୀ ନାଗରାଲେ ହାଇକୋର୍ଟରେ ଆବେଦନ କରିଥିଲେ।
ଗତ ୪ ମାସ ହେଲା ହେମନ୍ତ ନାଗରାଲେ ପ୍ରତିମାଙ୍କୁ ଟଙ୍କା ଦେଇନଥିବା ନେଇ ପ୍ରତିମାଙ୍କ ଓକିଲ ପି.ଭି. ନେଲସନ୍ ରାଜନ କୋର୍ଟରେ କହିଥିଲେ। ଆଗାମୀ ତାରିଖ ସୁଦ୍ଧା ପ୍ରତିମାଙ୍କୁ ଭରଣ ପୋଷଣ ଟଙ୍କା ଦେବା ପାଇଁ କୋର୍ଟ ନିର୍ଦେଶ ଦେବା ସହ ଆବେଦନର ଆଗାମୀ ଶୁଣାଣି ଡିସେମ୍ବର ୬ରେ କରିବେ ବୋଲି କହିଛନ୍ତି।
ପୂର୍ବ ସ୍ବାମୀ ତଥା ମୁମ୍ବାଇ କମିଶନର ହେମନ୍ତ ନାଗରାଲେଙ୍କ ଦରମା ବୃଦ୍ଧି ହେଉଛି। ଏପରିକି ଘର ଭଡ଼ା ଆଦିରୁ ତାଙ୍କର ଆୟ ହେଉଛି। ତେଣୁ ତାଙ୍କୁ ମିଳୁଥିବା ଭରଣ ପୋଷଣ ବୃଦ୍ଧି ହେବା ଦରକାର ବୋଲି ପ୍ରତିମା ନିଜ ଆବେଦନରେ ଦର୍ଶାଇଛନ୍ତି । ଏହା ଉପରେ ଶୁଣାଶି କରି ହେମନ୍ତ ନାଗରାଲେଙ୍କୁ ରୋଜଗାର ସମ୍ପର୍କରେ ସମସ୍ତ ବିବରଣୀ ମାଗିଛନ୍ତି ହାଇକୋର୍ଟ।