Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ହାଇକୋର୍ଟରେ ଘରୋଇ ବିଦ୍ୟାଳୟ ଫି’ ଛାଡ଼ ମାମଲା, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ କୋର୍ଟ

25/04/2020 at 9:41 AM

କଟକ ୨୫।୦୪ କରୋନା ଭଳି ମହାବିପତ୍ତି ସମୟରେ ରୋଜଗାରର ସମସ୍ତ ପନ୍ଥା ବନ୍ଦ । ଏଭଳି ଅସମୟରେ ଜଣେ ଅଭିଭାବକ ତା’ର ପିଲା ପାଇଁ ସ୍କୁଲ୍‌ ଫି’ ଦାଖଲ କରିବାକୁ ଅକ୍ଷମ । ବିଶେଷକରି ଘରୋଇ ସ୍କୁଲ୍‌ କ୍ଷେତ୍ରରେ ଏହି ସମସ୍ୟା ଅଧିକ । ତେଣୁ ମାର୍ଚ୍ଚରୁ ଜୁନ୍‌ -୪ ମାସର ଟ୍ୟୁସନ୍‌ ଫି’ ଛାଡ କରିବାକୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି.ଆର୍‌. ଷଡ଼ଙ୍ଗୀ ଏବଂ ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ ଜାରି କରିଛନ୍ତି । ସମ୍ବଲପୁରର ଆଇନଜୀବୀ ମହମ୍ମଦ ମୁସ୍ତାକ୍‌ ଅନ୍‌ସାରୀ ଏହି ମାମଲା ରୁଜୁ କରିଥିଲା ବେଳେ ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଏବଂ ଗଣଶିକ୍ଷା ଶିକ୍ଷା ସଚିବଙ୍କୁ ଏନେଇ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ମିଳିଛି ।

ଆବେଦନକାରୀ ପିଟିସନ୍‌ରେ ଉଲ୍ଲେଖ କରିଥିଲେ ଯେ, କରୋନା ପାଇଁ ଗତ ମାସେ ହେଲା ସମସ୍ତ ବିଦ୍ୟାଳୟ ବନ୍ଦ ରହିଛି । ଆଗକୁ ଆହୁରି କେତେ ମାସ ବନ୍ଦ ରହିବ ତାହା କହିବା ମୁସ୍କିଲ୍‌ । କିନ୍ତୁ ସ୍କୁଲ୍‌ ବନ୍ଦ ରହିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଟ୍ୟୁସନ୍‌ ଫି’ ନେବା ପାଇଁ ଦାବି କରୁଛନ୍ତି । ଏହି ସମୟରେ ଅନ୍ୟାନ୍ୟ ଫି’ ବୃଦ୍ଧି ଆଶଙ୍କାକୁ ବି ଏଡ଼ାଇ ଦେଇହେବ ନାହିଁ । ଗୋଟିଏପଟେ ଲୋକଙ୍କର ରୋଜଗାର ନଥିଲାବେଳେ ଅନ୍ୟପଟେ ବିଦ୍ୟାଳୟର ଫି’ ବୋଝ ଚିନ୍ତା ବଢାଇ ଦେଇଛି । ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଘରୋଇ ବିଦ୍ୟାଳୟଗୁଡ଼ିକୁ ଫି’ କମାଇବା ଲାଗି ଅନୁରୋଧ କରିଛନ୍ତି । କିନ୍ତୁ ଏହା ସତ୍ତେ୍ୱ କୌଣସି ଘରୋଇ ବିଦ୍ୟାଳୟରେ ଫି’ ଛାଡ଼ କିମ୍ବା ହ୍ରାସ ପାଇଁ କିଛି ବି ପଦକ୍ଷେପ ନିଆଯାଇନି ।

ତେଣୁ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ମାର୍ଚ୍ଚରୁ ଜୁନ୍‌ ପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟଗୁଡ଼ିକ ଟ୍ୟୁସନ୍‌ ଫି’ ସଂଗ୍ରହ ନକରିବା, ଏଭଳି ଅସମୟରେ କୌଣସି ଫି’ ବୃଦ୍ଧି ନକରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ସ୍କୁଲ୍‌ ଫି’ ଛାଡ଼ ଯୋଗୁଁ ଘରୋଇ ବିଦ୍ୟାଳୟଗୁଡ଼ିକ ପକ୍ଷରୁ ସେମାନଙ୍କ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀଙ୍କୁ ଦରମା ଦେବା ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ପାଇଁ ସମସ୍ୟା ହୋଇପାରେ । ଏଭଳି କ୍ଷେତ୍ରରେ ରାଜ୍ୟ ସରକାର ବିଦ୍ୟାଳୟଗୁଡିକୁ ଆର୍ଥିକ ସହାୟତାର ହାତ ବଢ଼ାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ଲାଗି ମଧ୍ୟ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।

   Related Posts