୭ ବର୍ଷ ପରେ ଆସିଲା ରାୟ, ୩୭୮ ଓଏଏସ୍‌ ଅଫିସରଙ୍କ ଚାକିରି ବୈଧ : ୨୦୦୬ ମାମଲାରେ ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ

Published By : Prameya-News7 Bureau | October 26, 2021 IST

କଟକ ୨୬।୧୦: ୨୦୦୬ ଓଏଏସ ନିଯୁକ୍ତି ବିବାଦ ମାମଲା । ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ । ୩୭୮ଟି ପଦବୀରେ ନିଯୁକ୍ତିକୁ ନେଇ ଉପୁଜିଥିଲା ବିବାଦ । ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ ସ୍ୟାଟ । ତେବେ ସ୍ୟାଟଙ୍କ ନିର୍ଦ୍ଦେଶ ଉପରେ ପ୍ରଥମେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ୨୬ ତାରିଖ, ମଙ୍ଗଳବାର ମାମଲାର ରାୟ ପ୍ରକାଶ ପାଇଛି । ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।

ଖବର ଅନୁଯାୟୀ, ଚାକିରୀର ସ୍ଥାୟୀତ୍ବକୁ ନେଇ ଦୀର୍ଘ ବର୍ଷ ହେଲା ସନ୍ଦେହ ଭିତରେ ରହିଆସିଥିବା ୩୭୮ ଜଣ ଓଏଏସ ଅଫିସର , ଏବେ ଆଶ୍ୱସ୍ତି ଅନୁଭବ କରିବେ । ସେମାନଙ୍କ ନିଯୁକ୍ତି ବୈଧ ବୋଲି ଘୋଷଣା କରିବା ସହ ପୂର୍ବରୁ ସ୍ୟାଟ ଦେଇଥିବା ରାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ୨୦୦୬ ମସିହାରେ ୩୭୮ ଓଏଏସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା ଓପିଏସସି । ବିଜ୍ଞପ୍ତି ମୁତାବକ କ୍ଲାସ ଟୁ ପୋଷ୍ଟ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା , ହେଲେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ମାନଙ୍କୁ କ୍ଲାସ ୱାନ ପୋଷ୍ଟରେ ନିଯୁକ୍ତି ଦେଇଥିଲେ ସରକାର । ଯାହାକୁ ବିରୋଧ କରି ସ୍ୟାଟରେ ଏକାଧିକ ମାମଲା ଦାୟର ହୋଇଥିଲା ।

୨୦୧୪ ମସିହାରେ ସ୍ୟାଟ ନିଜ ରାୟ ପ୍ରକାଶ କରିବା ସହ ସମସ୍ତ ନିଯୁକ୍ତିକୁ ଅବୈଧ ବୋଲି ଘୋଷଣା କରିଥିଲେ। ସ୍ୟାଟଙ୍କ ଉକ୍ତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆବେଦନର ପ୍ରାରମ୍ଭିକ ଶୁଣାଣୀ କରି ସ୍ୟାଟ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ତେବେ ମାମଲା ଦାୟର ହେବାର ପ୍ରାୟ ୭ ବର୍ଷ ପରେ ମଙ୍ଗଳବାର ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି । ଯେହେତୁ ଚୟନ ପ୍ରକ୍ରିୟାରେ ସମସ୍ତଙ୍କୁ ସମାନ ସୁଯୋଗ ଦିଆଯାଇଛି । ତେଣୁ ଅନିୟମିତତାର କୌଣସି ପ୍ରମାଣ ନଥିବା କୋର୍ଟ କହିଛନ୍ତି । ସେହିପରି ଯୋଗ୍ୟ ପ୍ରାର୍ଥୀ ମାନଙ୍କ ନିଯୁକ୍ତି ଲାଗି ଉଦ୍ଧିଷ୍ଟ ସମସ୍ତ ନିୟମ ଠିକ୍ ଭାବେ ପାଳନ ହୋଇଥିବାରୁ ସ୍ୟାଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.