ଚିଠି ବିବାଦରେ ଫସିଥିବା ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ବଢିଲା ମୁସ୍କିଲ, ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ

Published By : Prameya-News7 Bureau | October 20, 2020 IST

ମୁମ୍ବାଇ ୨୦।୧୦: ମହାରାଷ୍ଟ୍ରରା ରାଜ୍ୟପାଳ ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋଶ୍ୟାରୀଙ୍କ ବିରୋଧରେ ହାଇକୋର୍ଟ ଅବମାନନା ନୋଟିସ୍ ଜାରି କରିଛି। ମଙ୍ଗଳବାର ଉତ୍ତରାଖଣ୍ଡ ହାଇକୋର୍ଟ ଏହି ନୋଟିସ୍ ଜାରି କରି କୋଶ୍ୟାରୀଙ୍କୁ ଚାରି ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ କୁହାଯାଇଛି। ଶରଦ କୁମାର ଶର୍ମାଙ୍କ ପୀଠ ଏକ ଅଣ ସରକାରୀ ସଂଗଠନ(ଏନଜିଓ)ର ଆବେଦନ ଉପରେ ଶୁଣାଣି କରି ଏହି ନୋଟିସ୍ ଜାରି କରିଛି।

ରୁରାଲ ଲିଟିଗେସନ ଆଣ୍ଡ ଏଣ୍ଟାଇଟେଲମେଣ୍ଟ କେନ୍ଦ୍ର(ରୁଲକ) ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ଦାଖଲ କରିଥିଲା। ଏହି ଆବେଦନ ଉପରେ ଶୁଣାଣି କରି ଅଦାଲତ ଗତ ବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବାସଭବନ ତଥା ଅନ୍ୟ ସୁବିଧା ବାବଦରେ ବକେୟା ଭଡା ଛଅ ମାସ ଭିତରେ ଜମା କରିବାକୁ ଆଦେଶ ଦେଇଥିଲେ। କୋର୍ଟର ଆଦେଶ ସତ୍ଵେ ବି କୋଶ୍ୟାରୀ ବକେୟା ଅର୍ଥ ପୈଠ କରିନଥିଲେ, ଯେଉଁ କାରଣରୁ ମଙ୍ଗଳବାର ତାଙ୍କ ବିରୋଧରେ ଅବମାନନା ନୋଟିସ୍ ଜାରି କରାଯାଇଛି।

ଏହି ମାମଲାରେ କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଆଦେଶର ଅନୁପାଳନ କଣ ପାଇଁ କରାଯାଇ ନାହିଁ। ଏହା ପରେ ବି ପୂର୍ବତନ ମୁଖ୍ୟମନ୍ତ୍ରୀ କୋଶ୍ୟାରୀଙ୍କ ବିରୋଧରେ ମୋକଦ୍ଦମା କଣ ପାଇଁ ରୁଜୁ କରାଯାଇ ନାହିଁ ?

ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ବିରୋଧରେ କୋର୍ଟରେ ଅବମାନନା ଆବେଦନ ଦାଖଲ କରିବାର ଦୁଇ ମାସ ପୂର୍ବରୁ ତାଙ୍କୁ ସୂଚନା ଦେବା ଜରୁରୀ ହୋଇଥାଏ। ଆବେଦନକାରୀ କହିଛନ୍ତି, ନିୟମକୁ ଦୃଷ୍ଟିରେ ରଖି କୋଶ୍ୟାରୀଙ୍କୁ ୬୦ ଦିନ ପୂର୍ବେ ନୋଟିସ୍ ପଠାଯାଇଥିଲା। ଅକ୍ଟୋବର ୧୦ରେ ଦୁଇ ମାସ ପୂରା ହେବା ପରେ ସେ କୋର୍ଟରେ ଯାଚିକା ଦାଖଲ କରିଥିଲେ। ସୂଚନାଯୋଗ୍ୟ, କୋଶ୍ୟାରୀଙ୍କ ଉପରେ ବାସଭବନ ଏବଂ ଅନ୍ୟ ସୁବିଧାର ଭଡା ବାବଦରେ ୪୭ ଲକ୍ଷରୁ ଅଧିକ ଟଙ୍କା ବକେୟା ରହିଛି। ଏହା ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିଜୁଳି ଓ ପାଣି ବିଲ୍ ମଧ୍ୟ ପୈଠ କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.