ଜୋର୍ ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

Published By : Prameya-News7 Bureau | August 06, 2018 IST

ଭୁବନେଶ୍ବର୬|୮: ଜୋର୍ ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ପଶ୍ଚିମ ଓଡ଼ିଶା ଓକିଲ ସଂଘ ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବେଳେ ମୌସୁମୀ ଅଧିବେସନରେ ଠୋସ୍ ନିଷ୍ପତ୍ତି ନେବାକୁ ସଂଘ ଦାବି କରିଛି । ସେପଟେ ଏହି ଘଟଣାକୁ ନେଇ ଜୋର୍ ଧରିଛି ରାଜନୀତି । ଦୀର୍ଘ ବର୍ଷ ଧରି ଏହି ଦାବି, ଅଧାରେ ଳଟକି ଥିବାରୁ ତାକୁ ନେଇ ପଶ୍ଚିମ ଓଡ଼ିଶା ଓକିଲ ସଂଘ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛି । ବିଧାନସଭା ମୌସୁମୀ ଅଧିବେଶନରେ ଏନେଇ ଠୋସ୍ ନିଷ୍ପତ୍ତି ନେବାକୁ ସଂଘ ଦାବି କରିଛି । ବିଶେଷଜ୍ଞ କମିଟି ଗଠନ କରି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟି ତୁରନ୍ତ ପଦକ୍ଷେପ ନିଅନ୍ତୁ । ବିଳମ୍ବ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ଦୋଷ ଲଦାଲଦି ନହୋଇ, କାର୍ଯ୍ୟକାରୀତା ଉପରେ ତୁରନ୍ତ ଧ୍ୟାନ ଦେବାକୁ ସଂଘ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ୨୦୧୩ରେ ରାଜ୍ୟ ସରକାର, କେନ୍ଦ୍ରକୁ ଅବଗତ କରାଇଥିଲେ । ଯାହା ଉପରେ ତର୍ଜମା କରି କେନ୍ଦ୍ର ଆଇନ ବିଭାଗ, ହାଇକୋର୍ଟରୁ ମତାମତ ଲୋଡ଼ିଥିଲେ । ସେପଟେ ରାଜ୍ୟ ସରକାର, କେନ୍ଦ୍ରକୁ ଦେଇଥିବା ସୂଚନା ଅନୁସାରେ କେଉଁ ସ୍ଥାନରେ ବେଞ୍ଚ ପ୍ରତିଷ୍ଠା ହେବ, କେଉଁ କେଉଁ ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ ହେବେ ଏବଂ ଏଥିପାଇଁ ଆର୍ଥିକ ବୋଝ କିଭଳି ଭରଣା ହେବ, ସେନେଇ ସବିଶେଷ ତଥ୍ୟ ନଥିବା କୁହାଯାଉଛି । ହାଇକୋର୍ଟ ମଧ୍ୟ, କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ତାଙ୍କ ରିପୋର୍ଟ ଦେଇନାହାନ୍ତି । ଯାହାକୁ ନେଇ ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ଜୋର୍ ଧରୁଛି । ସମ୍ବଲପୁର ସହରରେ କୌଣସି ମନ୍ତ୍ରୀଙ୍କୁ ପୂରାଇ ଦିଆଯାଉ ନାହିଁ । ଆସନ୍ତା ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ କୌଣସି ମନ୍ତ୍ରୀଙ୍କୁ ପୂରାଇ ନଦେବାକୁ ମଧ୍ୟ ସଂଘ ଚେତାବନୀ ଦେଇଛି । ଏଭଳି ସ୍ଥିତିରେ ଆଗକୁ ନିର୍ବାଚନ ଥିବାରୁ ସବୁ ରାଜନୈତିକ ଦଳ ରୁଟି ସେକିବାରେ ମାତିଛନ୍ତି । ପଶ୍ଚିମ ଓଡ଼ିଶାର ସମ୍ବଲପୁର ଭଳି ବଲାଙ୍ଗିର, କଳାହାଣ୍ଡି ଜିଲ୍ଲାବାସୀ ମଧ୍ୟ ନିଜ ଅଞ୍ଚଳରେ ସ୍ଥାୟୀ ବେଞ୍ଚ ଦାବି କରୁଛନ୍ତି । ସେହିଭଳି ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଏବଂ ଜୟପୁରରେ ମଧ୍ୟ ଅନୁରୂପ ଦାବି ମୁଣ୍ଡ ଟେକୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.