ଉତ୍ତର ପ୍ରଦେଶରେ ହାଇ ଆଲର୍ଟ : ରେଲଓ୍ବେ ଷ୍ଟେସନ, ମନ୍ଦିର, ଏୟାରପୋର୍ଟରେ ବିସ୍ଫୋରଣ ଧମକ, ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି

Published By : Prameya-News7 Bureau | November 01, 2021 IST

ଲକ୍ଷ୍ନୌ ୦୧/୧୧ : ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ଖବର ମିଳିବା ପରେ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ରେଳ ଷ୍ଟେସନ ସମେତ, ଜନଗହଳିପୂର୍ଣ୍ଣ ସ୍ଥାନ, ମନ୍ଦିର ଏବଂ ପାର୍କ ଆଦି ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଡାକ ମାଧ୍ୟମରେ ରେଳ ବିଭାଗକୁ ଆସିଥିବା ଧମକପୂର୍ଣ୍ଣ ଚିଠିରେ ରେଳ ଷ୍ଟେସନ ସମେତ ଅନ୍ୟ କିଛି ସ୍ଥାନରେ ଖୁବଶୀଘ୍ର ଆତଙ୍କବାଦୀ ଆକ୍ରମଣ ହେବାକୁ ଯାଉଛି ବୋଲି ଉଲ୍ଲେଖ ରହିଥିଲା । ଏହି ଚିଠି ମିଳିବା ପରେ ୟୁପିର ପ୍ରମୁଖ ରେଳ ଷ୍ଟେସନ ସମେତ ମନ୍ଦିରଗୁଡିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧିୁ କରାଯାଇଛି ।

ଦୀପାବଳି ଅବସରରେ ପୁରା ୟୁପି ଚଳଚଞ୍ଚଳ ଥିବା ବେଳେ ଆତଙ୍କବାଦୀଙ୍କ ନାଁରେ ଆସିଥିବା ଧମକପୂର୍ଣ୍ଣ ଚିଠି ପୋଲିସ ଏବଂ ସୁରକ୍ଷା ଏଜେନ୍ସିର ନିଦ ହଜାଇଦେଲାଣି । ଏୟାରପୋର୍ଟ, ବସ୍‌ ଷ୍ଟାଣ୍ଡ ସମେତ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ବୋମା ନିଷ୍କ୍ରିୟକାରୀ ଟିମ ସଜାଗ ରହିଛନ୍ତି । ଏହା ସହିତ ରେଲଓ୍ବେ ପୋଲିସ, ସିଆରପିଏଫ୍‌ ଟିମ, ଆରପିଏଫ୍‌ ଟିମ ମଧ୍ୟ ସଜାଗ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ୟୁପିର ହାପୁଡ ଏବଂ ମୁଗଲସରାୟ ରେଳ ଷ୍ଟେସନକୁ ଡାକ ଯୋଗେ ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା । ଚିଠିରେ, ଆସନ୍ତା ନଭେମ୍ବର ୨୬ ତାରିଖରେ ଉତ୍ତର ପ୍ରଦେଶର ବହୁ ରେଳ ଷ୍ଟେସନ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ବୋମା ବିସ୍ଫୋରଣ ହେବା ନେଇ ଧମକ ଦିଆଯାଇଥିଲା । ଚିଠିରେ ପାକିସ୍ତାନ ପୁଷ୍ଟପୋଷକତାରେ ବଢୁଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ନାଁ ଉଲ୍ଲେଖ ଥିବା ଜଣାପଡିଛି ।

ବାରାଣାସୀ, ଲକ୍ଷ୍ନୌ ସମେତ ୟୁପିର ୪୬ଟି ରେଳ ଷ୍ଟେସନକୁ ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ମିଳିଛି । ଶନିବାର ବିଳମ୍ବିତ ରାତିରେ ଇଣ୍ଟେଲିଜେନ୍ସ ବିଭାଗ ପକ୍ଷରୁ ଆଲର୍ଟ ପାଇବା ପରେ ରେଳ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି। ୟୁପିର ବାରାଣାସୀ, ଗୋରଖପୁର, ଲକ୍ଷ୍ନୌ, ପ୍ରୟାଗରାଜ, କାନପୁର ସମେତ ୪୬ ଟି ରେଳ ଷ୍ଟେସନରେ ବିସ୍ଫୋରଣ କରିବାକୁ ଲସ୍କର ଆତଙ୍କବାଦୀ ସଂଗଠନ ଧମକ ଦେଇଛି। PDDU ଜଙ୍କସନ, ବାରାଣାସୀ କ୍ୟାଣ୍ଟ ଷ୍ଟେସନ ସମେତ ଅନ୍ୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଉତ୍ତର ପ୍ରଦେଶର ବିଭିନ୍ନ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ସିଆରପିଏଫ୍‌, ଆରପିଏଫ୍‌ ଏବଂ ଡଗ୍‌ ସ୍କ୍ବାଡ୍‌ ଯାଞ୍ଚରେ ଲାଗିପଡିଛନ୍ତି । ଜିଆରପି ଅଧିକାରୀ ସୁରେଶ ସିଂହଙ୍କ ନେତୃତ୍ବରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଆରପିଏଫ୍‌ ଇନ୍ସପେକ୍ଟର ସଞ୍ଜୀବ କୁମାର ମଧ୍ୟ ଅନ୍ୟ ଏକ ଟିମ ସହିତ ୟୁପିର ସମସ୍ତ ପ୍ଲାଟଫର୍ମରେ ତଲାସି ଅଭିଯାନ ଜାରି ରଖିଛନ୍ତି । ପିଡିଡିୟୁ ଜଙ୍କସନ୍‌ରୁ ଗୁଜୁରାଟ ଯାଉଥିବା ସମସ୍ତ ଟ୍ରେନ୍‌ ଏବଂ ଯାତ୍ରୀଙ୍କ ଜିନିଷ ପତ୍ର ଏବଂ ବ୍ୟାଗ୍‌ର ତଲାସି କରାଯାଉଛି । ଏହା ସହିତ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିଆରପିଏଫ୍‌ ଏବଂ ଆରପିଏଫ୍‌ ଜବାନମାନଙ୍କୁ ମୁତୟନ କରାଯାଇଛି । ସିସିଟିଭି କ୍ୟାମେରାଗୁଡିକୁ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।

ଜିଆରପି ଅଧିକାରୀ ସୁରେଶ ସିଂହ କହିଛନ୍ତି, ଆତଙ୍କବାଦୀ ଧମକ ମିଳିବା ପରେ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀଙ୍କ ଟାର୍ଗେଡରେ ବାରାଣସୀ, ଗୋରଖପୁର, ଅଲୀଗଡ, ଲକ୍ଷ୍ନୌ, ବରେଲୀ, ମୁରାଦାବାଦ, ପ୍ରୟାଗରାଜ, କାନୁପର,ଅଯୋଧ୍ୟା ସମେତ ଉତ୍ତରାଖଣ୍ଡର ହରିଦ୍ବାର ରେଳ ଷ୍ଟେସନରେ ବିସ୍ଫୋରଣ କରିବାକୁ ଧମକ ଦେଇଛନ୍ତି ଆତଙ୍କବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.