Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ନନ୍ଦନକାନନ ହାତୀଙ୍କୁ ହରପିସ୍ ଭୟ : ସଂକ୍ରମଣ ଯୋଗୁଁ ଏକମାତ୍ର ଦନ୍ତା ଚନ୍ଦନର ମୃତ୍ୟୁ

16/09/2019 at 11:29 AM

ବାରଙ୍ଗ ୧୬/୯: ନନ୍ଦନକାନନର ଏକମାତ୍ର ଦନ୍ତାହାତୀ ଚନ୍ଦନର ମୃତ୍ୟୁ ହରପିସ୍ ଭାଇରସ୍ ସଂକ୍ରମଣ କାରଣରୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି । ତେଣୁ ଏବେ ଚିଡିଆଖାନାର ଅନ୍ୟ ହାତୀଙ୍କ ପ୍ରତି ବିପଦ ଦେଖାଦେଇଛି । ୨୦ଦିନ ତଳେ ହାତୀ ଜୁଲି ମଧ୍ୟ ହରପିସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲା । ଏବେ ଚନ୍ଦନର ମୃତ୍ୟୁ ପରେ ଅନ୍ୟ ହାତୀଙ୍କୁ ହରପିସ୍ ଭାଇରସ୍ ସଂକ୍ରମଣ ହେବା ଆଶଙ୍କା ପ୍ରକାଶ ପାଇଛି । ତେଣୁ ଏଠାରେ ଥିବା ଅନ୍ୟ ୬ହାତୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି ।

ଏହାସହ ଏମାନଙ୍କର ରକ୍ତ ନମୁନା ପରୀକ୍ଷା କରାଯାଉଛି । ଯଦି ରକ୍ତରେ ପ୍ଲେଟଲେଟ୍ ସଂଖ୍ୟା କମ ରହିଥିବ ତେବେ ତୁରନ୍ତ ଆଣ୍ଟି-ଭାଇରାଲ୍ ଡୋଜ୍ ଦିଆଯିବ । ହାତୀ ଚନ୍ଦନ ଗତ ୧୩ତାରିଖ ଅପରାହ୍ନରେ ହଠାତ ଅସୁସ୍ଥ ହୋଇ ପଡିଥିଲା । ତା ଶରୀରର ତାପମାତ୍ରା ବୃଦ୍ଧି ପାଇଥିଲା । ନାକରୁ ପାଣି ବାହାରିଥିଲା । ସେ ହାଲିଆ ହୋଇ ଘୁମାଇ ଥିଲା । ଠିକ ଭାବରେ ଖାଦ୍ୟ ଖାଇ ନଥିଲା । ଏହା ଜାଣିବା ପରେ ନନ୍ଦନକାନନର ଚିକିତ୍ସକ ଦଳ ତାକୁ ପ୍ରତିଷେଧକ ଓ ଜ୍ବର କମିବା ଲାଗି ଟୀକା ଦେଇଥିଲେ । ସାଲାଇନ ମଧ୍ୟ ଦିଆଯାଇଥିଲା । ଚନ୍ଦନକୁ ସ୍ବତନ୍ତ୍ର ଭାବରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ଡାକ୍ତର ଟିମର ସମସ୍ତ ଉଦ୍ୟମ ବିଫଳ ହୋଇଥିଲା ।

ଶବ ବ୍ୟବଚ୍ଛେଦ ବେଳେ ସେ ଆକ୍ୟୁଟ ହାମରେଜିକ ଡିଜିଜ୍ ବା ହରପିସ୍ ଭାଇରସ୍ ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣା ପଡିଛି । ହରପିସ୍ ଭାଇରସ୍ ସଂକ୍ରମଣ ଅଧିଂକାଶ ଛୋଟ ହାତୀ ବା କମ ବୟସର ହାତୀଙ୍କୁ  ହୋଇଥାଏ । ବଡହାତୀଙ୍କୁ କ୍ବଚିତ ସଂକ୍ରମିତ କରିଥାଏ । ଏହି ରୋଗ ଏବେ ଏସିଆ ମହାଦେଶରେ ଅଧିକାଂଶ ଛୁଆ ହାତୀଙ୍କଠାରେ ଦେଖା ଯାଉଛି ।

ଅଗଷ୍ଟ ୨୦ତାରିଖରେ ପ୍ରଥମଥର ଲାଗି ଏଥିରେ ଆକ୍ରାନ୍ତ ହୋଇ ନନ୍ଦନକାନନରେ ଜୁଲି ହାତୀର ମୃତ୍ୟୁ ହୋଇଥିଲା । ହରପିସ୍ ସଂକ୍ରମଣ ଫଳରେ ଫୁସଫୁସ, ଖାଦ୍ୟନଳୀ ଓ ଶରୀର ଭିତରେ ଥିବା ବିଭିନ୍ନ ଅଙ୍ଗରୁ ରକ୍ତସ୍ରାବ ହୋଇଥାଏ । ଫଳରେ ହାତୀ ଖାଦ୍ୟ ଖାଏନାହିଁ । ଶବ ବ୍ୟବଚ୍ଛେଦ କରିଥିବା ଓୟୁଏଟି ପ୍ରାଣୀ ଡାକ୍ତରଙ୍କ କହିବା କଥା ମାତ୍ର ୨୦ଦିନ ବ୍ୟବଧାନରେ ହରପିସ୍ ସଂକ୍ରମଣରେ ଦୁଇଟି ହାତୀ ପ୍ରାଣ ହରାଇଥିବାରୁ ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ଅନ୍ୟ ହାତୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତ କରିବା ଲାଗି ପରାମର୍ଶ ଦିଆଯାଇଛି । ଚନ୍ଦନ ହାତୀର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୬ଟି ମାଇ ହାତୀ ଅଛନ୍ତି।

   Related Posts