ଓଲଟି ପଡିଲା କୁକୁଡା ବୋଝେଇ ପିକଅପ୍ ଭ୍ୟାନ୍, ଅଖା ଓ ବ୍ୟାଗରେ କୁକୁଡା ନେଇଗଲେ ଲୋକେ

Published By : Prameya-News7 Bureau | November 21, 2020 IST

ସୁନ୍ଦରଗଡ଼,୨୧/୧୧ : ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ବଡ଼ବାହାଲ ନିକଟ ଦେଇ ଯାଇଥିବା ରାଜ୍ୟ ରାଜପଥ ଉପରେ ଏକ କୁକୁଡା ବୋଝେଇ ପିକଅପ୍ ଓଲଟି ପଡିଛି । ଝାରସୁଗୁଡ଼ା ପଟୁ ସୁନ୍ଦରଗଡ଼କୁ ଏହି କୁକୁଡା ବୋଝେଇ ପିକଅପଟି ଆସୁଥିଲା । ଗାଡ଼ି ଓଲଟିବା ପରେ ସ୍ଥାନୀୟ ଲୋକେ ସେଠାକୁ ଦୌଡ଼ି ଯାଇ ଗାଡ଼ିରୁ କୁକୁଡ଼ାଗୁଡିକୁ ବ୍ୟାଗରେ ଭର୍ତ୍ତି କରି ନେଉଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ, ଶୁକ୍ରବାର ଝାରସୁଗୁଡ଼ା ପଟୁ ଏକ ପିକ୍‌ଅପ୍‌ ଭ୍ୟାନ୍ କୁକୁଡା ନେଇ ସୁନ୍ଦରଗଡ଼କୁ ଆସୁଥିଲା । କିନ୍ତୁ ବଡ଼ବାହାଲ ଗ୍ରାମ ଅତିକ୍ରମ କରୁଥିବା ସମୟରେ ଚାଳକ ଭାରସାମ୍ୟ ହରାଇଥିଲେ । ଫଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।

କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଓଲଟି ପଡ଼ିବା ଦେଖି ରାସ୍ତାରେ ଯାଉଥିବା ଲୋକେ ଅଟକିଥିଲେ । ସେମାନେ ଚାଳକଙ୍କୁ ଚିକିତ୍ସା ଲାଗି ନେବା ପରିବର୍ତ୍ତେ କୁକୁଡ଼ା ଲୁଟିବାରେ ଲାଗି ପଡ଼ିଥିଲେ । ସ୍ଥାନୀୟ ଗ୍ରାମର ଲୋକେ ଖବର ପାଇ ସେଠାରେ ପହଞ୍ଚି ବ୍ୟାଗ, ଅଖାରେ କୁକୁଡ଼ା ଭର୍ତ୍ତି କରିବାରେ ଲାଗି ପଡ଼ିଥିଲେ । ଖବର ପାଇ ଭଷ୍ମା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡାଇଥିଲା । ଏହାସହ ଆହତ ଚାଳକ ଓ ହେଲପରଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସୁନ୍ଦରଗଡ଼ ସରକାରୀ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.