୨୭ରେ ଶପଥ ନେବେ ହେମନ୍ତ ସୋରେନ୍, କଂଗ୍ରେସକୁ ମିଳିପାରେ ବାଚସ୍ପତି ଏବଂ ୫ ମନ୍ତ୍ରୀ ପଦ

Published By : Prameya-News7 Bureau | December 24, 2019 IST

ରାଞ୍ଚି ୨୪।୧୨: ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆସନ୍ତା ୨୭ ତାରିଖରେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ୍ । ଝାଡଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନରେ ପରିଣାମ ଘୋଷଣା ହୋଇସାରିଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା-ଜେଏମ୍ଏମ୍ ନେତୃତ୍ବରେ ମହାଗଠବନ୍ଧନ ମୋଟ୍ ୪୭ ଆସନ ଜିତି ସ୍ପଷ୍ଟ ବହୁମତ ପାଇଛି ।

ଶାସକ ଦଳ ବିଜେପିର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ଝାଡଖଣ୍ଡ ରାଜ୍ୟ ବିଜେପି ଅଧ୍ୟକ୍ଷ ଲକ୍ଷ୍ମଣ ଗିଲୁୱା ପରାଜିତ ହେବା ସହ ବିଜେପିକୁ ମିଳିଛି ମାତ୍ର ୨୫ଆସନ । ଜେଏମ୍ଏମ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ମେଣ୍ଟର ନେତା ହେମନ୍ତ ସୋରେନ୍ ଆସନ୍ତା ଶୁକ୍ରବାର ରାଞ୍ଚିର ମୋରହାବାଦୀ ମଇଦାନରେ ମୁଖ୍ୟମନ୍ତ୍ରୀ ଭାବରେ ପଦ ଏବଂ ଗୋପନୀୟତାର ଶପଥ ନେବେ । ମହାମେଣ୍ଟର ବୈଠକରେ ହେମନ୍ତ ସୋରେନଙ୍କୁ ଔପଚାରିକ ଭାବରେ ନେତା ଚୟନ କରାଯିବା ପରେ ରାଜ୍ୟରେ ସରକାର ଗଠନ ଲାଗି ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ଆଗରେ ଦାବି ଉପସ୍ଥାପନ କରାଯିବ ।

ହେମନ୍ତ ସୋରେନଙ୍କ ସହ ଜେଏମଏମର ୬, କଂଗ୍ରେସର ୫ ଏବଂ ଆରଜେଡି ମେଣ୍ଟର ଜଣେ ମନ୍ତ୍ରୀ ଶପଥ ନେବେ । ଅର୍ଥାତ୍ ହେମନ୍ତ ସୋରେନଙ୍କ ସହ ୧୨ଜଣ ମନ୍ତ୍ରୀ ଶପଥ ନେବେ । ଏହା ବ୍ୟତୀତ କଂଗ୍ରେସରୁ ବାଚସ୍ପତି ନିର୍ବାଚିତ ହୋଇପାରନ୍ତି । ସୂତ୍ର ଅନୁସାରେ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହ ମୋରବଡି ଗ୍ରାଉଣ୍ଡରେ ଆୟୋଜିତ କରାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.