ପ୍ରଥମେ ପୂଜା ପରେ ନାମାଙ୍କନ: ହେମା ମାଳିନୀ ନାମାଙ୍କନ ଦାଖଲ ପୂର୍ବରୁ ଆଦିତ୍ୟନାଥଙ୍କ ସହ କଲେ ବାଙ୍କେବିହାରୀଙ୍କ ବିଶେଷ ପୂଜାର୍ଚ୍ଚନା

Published By : Prameya-News7 Bureau | March 25, 2019 IST

ମଥୁରା ୨୫/୩ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ମଥୁରାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ | ତା'ପୂର୍ବରୁ ଯୋଗୀ ବୃନ୍ଦାବନ ସ୍ଥିତ ବାଙ୍କେବିହାରୀ ମନ୍ଦିର ଯାଇ ଦର୍ଶନ କରିଥିଲେ | ମନ୍ଦିରରେ ସେ ଭଗବାନଙ୍କ ବିଶେଷ ପୂଜାର୍ଚନା କରିଥିଲେ | ଯୋଗୀଙ୍କ ସହ ବିଜେପି ପ୍ରାର୍ଥୀ ହେମା ମାଳିନୀ ମଧ୍ୟ ବାଙ୍କେବିହାରୀଙ୍କ ଦର୍ଶନ କରିଥିଲେ | ଯୋଗୀ ଏବଂ ହେମାଙ୍କ ସହ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ |


ବାଙ୍କେବିହାରୀ ମନ୍ଦିରରେ ପୂଜା କରିବା ପରେ ହେମା ମାଳିନୀ ବୃନ୍ଦାବନରୁ ବିଜେପି ନେତାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛି ସମୟ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବେ | ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି |


ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ହେମା ମାଳିନୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ | ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ମଥୁରା ଆସିଛନ୍ତି | ହେମା ମାଳିନୀ ନାମାଙ୍କନ ପତ୍ର ଦାଖଲ କରିସାରିବା ପରେ ମୁଖ୍ୟମନ୍ତ୍ରୀ ପୋଡାର ଇଣ୍ଟର କଲେଜରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.