ଗାଁ ଲୋକଙ୍କ କଥାରେ ମାଆକୁ ତଡ଼ି ଦେଲେ ପୁଅ- ବୋହୂ: ସମସ୍ତେ ଥାଇ ବି କମଳା ଏବେ ନିଃସ୍ବ, ହ୍ୟୁମ୍ ପାଇପ୍ ଭିତରେ ଯନ୍ତ୍ରଣାରେ ବିତୁଛି ଜୀବନ

Published By : Prameya-News7 Bureau | August 10, 2020 IST

ନବରଙ୍ଗପୁର୧୦/୮:  ଅନ୍ଧ ବିଶ୍ବାସ ଏବଂ ଗାଁ ଲୋକଙ୍କ କଥାକୁ ବିଶ୍ବାସ କରି ଜନ୍ମକଲା ମାଆକୁ ଘରୁ ତଡି ଦେଲେ ପୁଅ- ବୋହୂ।  ଆଜିର ସମାଜ ଅନ୍ଧବିଶ୍ବାସରେ ବଶବର୍ତ୍ତି ହୋଇ ନିଜର ମାନବିକତାକୁ ବଳି ପକାଇଛି। ଜଣେ ବୃଦ୍ଧାଙ୍କୁ କୁଷ୍ଠରୋଗ ସନ୍ଦେହରେ ଗାଁ ଲୋକ ବାସନ୍ଦ କରି ଗାଁରୁ ତଡି ଦେଲେ। ଆଉ ଗ୍ରାମବାସୀଙ୍କ ଚାପରେ ପଡି ଆପଣର ଲୋକ ବି ପର କରି ଦେଲା। ବୟସ ୬୫ ବର୍ଷ। ପାଦରେ ଚାଲିବାକୁ ଆଉ ବଳ ନାହିଁ। ପରିଣତ ବୟସରେ ବୃଦ୍ଧାଙ୍କୁ ଗାଁରୁ ତଡି ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।  ଅନ୍ତଫାଡି ଜନ୍ମ ଦେଇଥିବା ମାଆକୁ ପୁଅ ଘରୁ ତଡି ଦେଇଛି। ଅସହାୟ ବୃଦ୍ଧା ଜଣକ ରାସ୍ତା ପାର୍ଶ୍ବରେ ପଡିଥିବା କଲଭର୍ଟ ପାଇଁ ବ୍ୟବହୃତ ହ୍ୟୁମ୍ ପାଇପ୍‌ରେ ମୁଣ୍ଡ ଗୁଞ୍ଜିଛନ୍ତି।

ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଲକ ବି ମାଳିଗୁଡା ଗାଁର ପରଜା ସାହିରେ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ବୃଦ୍ଧାଙ୍କ ନାଁ କମଳା ବିନ୍ଧାଣି। ସ୍ବାମୀ ୪ ବର୍ଷ ତଳେ ଆରପାରିକୁ ଚାଲିଯିବା ପୁଅ-ବୋହୂଙ୍କ ଦିନ କାଟୁଥିଲେ। ହେଲେ ୪ ମାସ ତଳେ କମଳା ଜଙ୍ଗଲରୁ ଦାନ୍ତ କାଠି ସଂଗ୍ରହ କରିବାକୁ ଯାଇଥିବା ବେଳେ ଜଙ୍ଗଲରୁ ଫେରିବା ସମୟରେ ତାଙ୍କର ବାମ ଗୋଡ଼ ପାଦର ଦୁଇଟି ଆଙ୍ଗୁଠି ଆପେ ଆପେ ଝଡିଗଲା। ପାଦରୁ ୨ଟି ଆଙ୍ଗୁଠି ଝଡିଗଲା ପରେ ସାହି ପଡୋଶୀ କମଳାଙ୍କୁ କୃଷ୍ଠରୋଗ ହୋଇଥିବା ସନ୍ଦେହକରି ବୃଦ୍ଧାଙ୍କୁ ସାହିରୁ ବାସନ୍ଦ କରିବାକୁ ପୁଅ ଓ ବୋହୂଙ୍କ ଉପରେ ଚାପ ପକାଇଥିଲେ।

ଶେଷକୁ ବୃଦ୍ଧାଙ୍କୁ ପୁଅ ଓ ବୋହୂ ତାଙ୍କୁ ଘରୁ ତଡି ଦେଇଥିଲେ। ସେହିଦିନଠାରୁ ପ୍ରାୟ ୪ ମାସ ହେବ ବୃଦ୍ଧାଙ୍କୁ ସାହିରୁ ବାସନ୍ଦ କରିବାକୁ ପୁଅ ଓ ବୋହୂ ଚାପ ପକାଇଥିଲେ।  ଦୀର୍ଘ ୪ ମାସ ହେବ ବୃଦ୍ଧା ଜଣଙ୍କ ହ୍ୟୁମ ପାଇପ୍‌ରେ ଆଶ୍ରୟ ନେଉଛନ୍ତି।  ରାସନକାର୍ଡ ଥିବା ଯୋଗୁଁ ଟଙ୍କିଆ ଚାଉଳ ଖାଇ ଜୀବନ ଜୀଉଁଛନ୍ତି ବୃଦ୍ଧା।  ସବୁଠାରୁ ଆଶ୍ଚର୍ଯ୍ୟକର କଥା ବିନା ପରୀକ୍ଷାରେ ତାଙ୍କୁ କୁଷ୍ଠରୋଗ କହି କମଳାଙ୍କୁ ଗାଁରୁ ତଡି ଦେଲେ। ଏହା ପରେ ଗାଁର ମୁରବି ଶ୍ରେଣୀର ଲୋକ ସବୁଜାଣିଶୁଣି ଚୁପ୍ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.