ପୋଲ ତଳେ ବିତୁଛି ଯନ୍ତ୍ରଣାଭରା ଜୀବନ : ଡାହାଣୀ ସନ୍ଦେହରେ ପୂରା ପରିବାରକୁ ମାଡମାରି ତଡିଦେଇଛନ୍ତି ଗାଁଲୋକେ

Published By : Prameya-News7 Bureau | January 04, 2021 IST

ଜଳେଶ୍ବର ୪।୧: ଆଜି ବି ମଣିଷ ମନରେ ରହିଛି ଅନ୍ଧବିଶ୍ବାସ ଏବଂ କୁସଂସ୍କାର । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଲୋକେ ଏତେ ତଳକୁ ଖସି ଯାଉଛନ୍ତି ଯେ ମଣିଷ ମାରିବାକୁ ମଧ୍ୟ ପଛାଉନାହାନ୍ତି । ପ୍ରାୟତଃ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳମାନଙ୍କରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ମହିଁଷାମୁଣ୍ଡା ଗାଁରେ ଘଟିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର  ଜିଲ୍ଲା  ବାଲିଆପାଳ ଥାନା ଶ୍ରୀରାମପୁର  ପଞ୍ଚାୟତର  ମହିଷାମୁଣ୍ଡା ଗାଁର ଲୁସ୍କୁ ଟୁଡୁଙ୍କ ସ୍ତ୍ରୀଙ୍କୁ ଡାହାଣୀ ସନ୍ଦେହ କରି ଗ୍ରାମବାସୀମାନେ ସପରିବାରକୁ ନିସ୍ତୁକ ମାଡମାରି ଗାଁରୁ ତଡି ଦେଇଛନ୍ତି । ଫଳରେ ସ୍ବାମୀ-ସ୍ତ୍ରୀ ଓ ଛୋଟ ପିଲାଙ୍କୁ ଧରି ଅନ୍ୟ ଏକ ଗାଁ ରାସ୍ତା ତଳେ ବିଛାଯାଇଥିବା ହୋମ୍ ପାଇପ୍ ଭିତରେ ଭୋକ ଉପାସରେ  ଆଶ୍ରୟ ନେଇଛନ୍ତି । କିଛି ମାସ ପୂର୍ବରୁ  ଲୁସ୍କୁଙ୍କ ବଡ ଭାଇଙ୍କ ଦୁଇ ପୁଅଙ୍କର ରୋଗରେ ମୃତ୍ୟୁ ହୋଇଥିଲା । ତେବେ ସେମାନଙ୍କ ମୃତ୍ୟୁର କାରଣ  ଲୁସ୍କୁର ସ୍ତ୍ରୀ ବୋଲି ସନ୍ଦେହ କରିଥିଲେ ଲୁସ୍କୁଙ୍କ ବଡଭାଇ । ସେ ଡାହାଣୀ ହୋଇ ଦୁଇ ପିଲାଙ୍କୁ ମାରି ଦେଇଛି ବୋଲି ଭାବି ନେଇଥିଲେ । ତେବେ ଏକଥା ଲୁସ୍କୁଙ୍କ ବଡ଼ଭାଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀମାନେ ଲୁସ୍କୁଙ୍କ ଘରେ ପହଞ୍ଚି  ସେମାନଙ୍କୁ ମୟୁରଭଞ୍ଜ ର ଜନୈକ ତାନ୍ତ୍ରିକ ପାଖକୁ ନେଇଯାଇଥିଲେ । ତାନ୍ତ୍ରିକ ଜଣଙ୍କ ପୂଜାପାଠ କରିବା ପରେ ଡାହାଣୀ ବୋଲି ଗ୍ରାମବାସୀମାନଙ୍କୁ କହିଥିଲେ ।

ଏହାପରେ  ଗ୍ରାମବାସୀମାନେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ମାରପିଟ୍ କରିବା ସହିତ ସେଡାହାଣୀ ବୋଲି ଜୋରଜରଦସ୍ତ ସାଦା କାଗଜରେ ଲେଖି ଟିପଚିହ୍ନ ନେଇଥିଲେ । ଏହାପରେ ଗ୍ରାମବାସୀମାନେ ଧମକଚମକ ଦେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ  ଗ୍ରାମରୁ ତଡି ଦେଇଛନ୍ତି । ଏମିତିକି ଘରୁ କୌଣସି ଜିନିଷ ପତ୍ର ମଧ୍ୟ ଆଣିବାକୁ ଦେଇ ନାହାନ୍ତି । ଫଳରେ ସେମାନେ ଭୟରେ ଗାଁରୁ ପଳାଇ ଆସି ଅନ୍ୟ ଏକ ଗାଁରେ ରାସ୍ତା ତଳେ  ବିଛାଯାଇଥିବା ହୋମ୍ ପାଇପ୍ ତଳେ ଆଶ୍ରୟ ନେଇଛନ୍ତି । ପାଖରେ ପଇସା ପତ୍ର କି ଲୁଗାପଟା କିଛି ନଥିବାରୁ ଭୋକ ଉପାସରେ  ହାଡଭଙ୍ଗା ଶୀତ କାକରରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ।

ଅଭିଯୋଗ କଲେ ଗ୍ରାମବାସୀମାନେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ବୋଲି କହିଛନ୍ତି ଲୁସ୍କୁ ଏବଂ ତାଙ୍କ ସ୍ତ୍ରୀ । ଖୁବ୍ ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ  ସରପଞ୍ଚ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.