କୋରାପୁଟ ଝଡଙ୍ଗା ଗାଁର ୪ ଅନାଥ ଭାଇ ଭଉଣୀଙ୍କ ପାଇଁ ବଢ଼ୁଛି ସହାୟତାର ହାତ
13/02/2019 at 6:34 PM

ଜୟପୁର ୧୩|୨: କୋରାପୁଟ ଝଡଙ୍ଗା ଗାଁର ୪ ଅନାଥ ଭାଇ ଭଉଣୀଙ୍କ ପାଇଁ ବଢ଼ୁଛି ସହାୟତାର ହାତ । ନ୍ୟୁଜ7ରେ ଖବର ପରେ ପ୍ରସାରଣ ହେବା ପରେ ସହାୟତାର ହାତ ବଢ଼ାଉଛନ୍ତି ବଦାନ୍ୟ ବ୍ୟକ୍ତି । ହେଲେ ପ୍ରଶାସନ ୪ ଭାଇ ଭଉଣୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି କାମ ସାରି ଦେଇଛି ।

କୋରାପୁଟ ଝଡଙ୍ଗା ଗାଁର ୪ ଅନାଥ ଭାଇ ଭଉଣୀଙ୍କ ମୁହଁରେ ଧୀରେ ଧୀରେ ହସ ଫୁଟୁଛି । ଭାଇ ଭଉଣୀଙ୍କ ସଂପର୍କରେ ଆମେ ନ୍ୟୁଜ7ରେ ଖବର ପ୍ରସାରଣ କରିଥିଲୁ । ଆଉ ଏହାପରେ ଅନେକ ବାଦାନ୍ୟ ବ୍ୟକ୍ତି ସହାୟତା ଦେବା ଆରମ୍ଭ କରିଛନ୍ତି । ଜଣେ ଡାକ୍ତର ୪ ଭାଇ ଭଉଣୀଙ୍କ ପାଇଁ ଚାଉଳ ,ଡାଲି,ତେଲ,ଅଣ୍ଡାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦାନ କରିଛନ୍ତି ।ତେବେ ରହିବାକୁ ଘର ଖଣ୍ଡେ ନାହିଁ।ତେଣୁ ଇନ୍ଦିରା ଆବାସ କିମ୍ବା ପ୍ରଧାନ ମନ୍ତ୍ରୀ ଆବାସ ଯୋଯନାରେ ଘରେ ଖଣ୍ଡିଏ ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ବଡ଼ ଭଉଣୀ ନବୀନା ଓ ଗ୍ରାମବାସୀ ।

ବାରମ୍ବାର ଗୁହାରି ପରେ ବି ଚାହାଁଲାନି ପ୍ରଶାସନ । କେବଳ ସ୍ବାସ୍ଥ୍ୟ ପରୀକ୍ଷା କରି କାମ ସାରିଦେଲା । ୪ ଭାଇ ଭଉଣୀଙ୍କ ମଧ୍ୟରୁ ସାନ ୨ ଭାଇ ଭଉଣୀ ଏବେ ସ୍କୁଲ ଯାଉଛନ୍ତି । ପରୀକ୍ଷା ସରିବା ପରେ ଏମାନଙ୍କୁ ଆବାସିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ଦେଇଛନ୍ତି ଶିଶୁ ମଂଗଳ ସମିତି ଅଧ୍ୟକ୍ଷା । ଘର ଓ ଅନ୍ୟାନ୍ୟ ଆର୍ଥିକ ସାହାଯ୍ୟ ପାଇଁ ଜିଲ୍ଲା ପ୍ରଶାସନକୁ ବି ଅନୁରୋଧ କରାଯାଇଥିବା କହିଛନ୍ତି ସେ । ସ୍କୁଲରେ ବି ୨ ଭାଇ ଭଉଣୀଙ୍କ ପାଠ ପଢା ପ୍ରତି ବିଶେଷ ଧ୍ୟାନ ଦିଆ ଯାଉଥିବା କହିଛନ୍ତି ପ୍ରଧାନ ଶିକ୍ଷକ।
