Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଉପସ୍ଥିତି ଜାହିର କଲା ମାନବିକତା, ତିନି ଅନାଥ ଭାଇ-ଭଉଣୀଙ୍କ ଆଗକୁ ଲମ୍ବି ଆସିଲା ସହୃଦୟତା ଓ ସହାୟତା…

11/08/2020 at 5:00 PM

ଆନନ୍ଦପୁର ୧୧।୦୮: ଭଲ ଲୋକ ଅଛନ୍ତି, ମାନବିକତା ଅଛି । ଅନ୍ୟର ଦୁଃଖରେ ଦୁଃଖୀ ହେଉଥିବା ଲୋକଙ୍କ ପାଇଁ ହିଁ , ସମାଜରେ  ସହୃଦୟତା ଶବ୍ଦର ମୁଲ୍ୟ ବି ରହିଛି । ଆମେ ଏମିତି ଲେଖିବାର କାରଣ ଟି ହେଲା , ଆନନ୍ଦପୁର ବ୍ଲକ୍ ସୁନ୍ଦୁରିଆ ଗାଁର ବାପା-ମାଆ ଛେଉଣ୍ଡ ଭାଇ-ଭଉଣୀଙ୍କ ଦୁନିଆ ଏବେ ବଦଳି ଯାଇଛି । ସେମାନଙ୍କ ଆଡ଼କୁ ବଢିଆସିଥିବା ସହଯୋଗ ଓ ସହାୟତାର ହାତଗୁଡ଼ିକ ଲାଗି ଦୁରେଇ ଯାଇଛି ଦୁଃଖ ଓ ଅନ୍ଧାର ଅନିଶ୍ଚିତତା ।

ବଦଳିଗଲା ପରିବେଶ, ବଦଳିଗଲା ଅନିଶ୍ଚିତତାର ଦୁଃଖ । ସ୍ୱର୍ଗତ କାହ୍ନୁ ଚରଣ ପିଙ୍ଗୁଆଙ୍କ ତିନି ଅସହାୟ ସନ୍ତାନଙ୍କ ମୁହଁରେ ହସ ଫୁଟାଇବାକୁ ଲମ୍ବି ଆସିଛି ସମବେଦନା ଓ ସହାୟତା । ରାଜ୍ୟର ଅନ୍ୟତମ ପ୍ରମୁଖ୍ୟ ଗଣମାଧ୍ୟମ ନ୍ୟୁଜ୍ ସେଭେନ୍‌ର ଡିଜିଟାଲ ପ୍ଲାଟଫର୍ମ prameyanews7.comରେ ଖବର ପ୍ରସାରଣ ପରେ ଏହି ଅସହାୟ ଶିଶୁମାନଙ୍କ ପାଇଁ ଦେଖାଦେଇଛି ଆଶାର ଆଲୋକ। ସହୃଦୟ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ଏହି ତିନି ଭାଇ-ଭଉଣୀଙ୍କୁ କେବଳ ସାମୟିକ ଅର୍ଥ ସାହାଯ୍ୟ କରିବାକୁ ଆସିନାହାନ୍ତି ବରଂ ସେମାନଙ୍କ ଭବିଷ୍ୟତକୁ ସୁନ୍ଦର ଓ ସୁରକ୍ଷିତ କରିବାର ପ୍ରତିଶୃତି ଦେଇଛନ୍ତି । ତାହା ସହ ଗ୍ରାମବାସୀ ମଧ୍ୟ ସ୍ୱତପ୍ରବୃତ୍ତ ଭାବେ ଆଗକୁ ଆସି, ସ୍ୱର୍ଗତ କାହ୍ନୁ ଚରଣ ପିଙ୍ଗୁଆଙ୍କ ଦଶାହ ଓ ଏକଦଶାହ ଲାଗି ସମସ୍ତ ଆୟୋଜନ କରିଛନ୍ତି । କାଠ କଟାରୁ ପତ୍ର ଯୋଗାଡ଼ ଯାଏଁ ସବୁ କରୁଛନ୍ତି ଗ୍ରାମବାସୀ ।

ପୂରା ଘଟଣାକ୍ରମଟି ଏହିପରି, ସୁନ୍ଦୁରିଆ ଗାଁର କାହ୍ନୁ ଚରଣ ପିଙ୍ଗୁଆଙ୍କ ଗତ ୧ତାରିଖ ଦିନ କିଡ୍‌ନୀ ଜନିତ ରୋଗରେ ମୃତ୍ୟୁ ହୋଇଥିଲା । ଏହାର ପାଞ୍ଚ ବର୍ଷ ତଳେ କାହ୍ନୁଙ୍କ ପତ୍ନୀ ସ୍ୱାମୀ ଓ ତିନି ଛୁଆଙ୍କୁ ଛାଡି ଆରପାରିକୁ ଛାଡି ଚାଲିଯାଇଥିଲେ । ଏବେ ବାପା ଚାଲିଗଲା ପରେ ଅନାଥ ହୋଇଗଲେ ତିନି ଭାଇ-ଭଉଣୀ । ଭଙ୍ଗା ଘର , କିଛି ବାସନ ଆଉ କନ୍ଥା, ଲୁଗା ଛଡ଼ା ଆଉ କିଛି ନଥିଲା । ହାଣ୍ଡି ଚୁଲି ଥିଲେ ବି ଭାତ ପାଇଁ ନଥିଲା ଚାଉଳ । ଭୋକ ବିକଳରେ ଆଉଟପାଉଟ ତିନି ଅସହାୟ ଶିଶୁଙ୍କୁ ସାହିପଡିଶା କିଛି ଦେଲେ ଖାଉଥିଲେ, ନହେଲେ ଭୋକରେ ଶୋଇପଡୁଥିଲେ । ଭୋକ ଆଗରେ ପାଠ ଓ ଭବିଷ୍ୟତ ଚିନ୍ତା ଥିଲା ଫିକା । ତିନି ଅନାଥଙ୍କ ବଞ୍ଚିବା ନେଇ ଆଶଙ୍କା ଚିନ୍ତିତ ବ୍ୟଥିତ ଥିଲେ ଗାଁ ଲୋକେ । କିଏ , କିପରି ଏମାନଙ୍କୁ ସାହା ହେବ ? ସରକାରୀ ବାବୁ ଯଦିଓ ପ୍ରତିଶୃତି ଦେଇଗଲେ, କିନ୍ତୁ ତାହା ବି ଥିଲା ଆଶଙ୍କାରେ ।

ଏହି ଘଟଣା ଏବଂ ତିନି ଅନାଥଙ୍କ ସମ୍ପର୍କରେ prameyanews7.comରେ ମାଆ ନାହିଁ-ବାପା ନାହିଁ, ଭାତ ପାଇଁ ଚାଉଳ ନାହିଁ … ଖବର ପ୍ରକାଶନ ସହ ପ୍ରସାରଣ ପରେ ବଦଳିଯାଇଛି ସ୍ଥିତି ।  

ସହାୟତା ପାଇଁ ଅନେକ ସ୍ୱେଚ୍ଛାସେବୀ ସଂଗଠନ , ସହୃଦୟ ବ୍ୟକ୍ତି ବିଶେଷ ତିନି ଭାଇ-ଭଉଣୀଙ୍କ ନିକଟରେ ପହଞ୍ଚିଛନ୍ତି । କେନ୍ଦୁଝର ଜିଲ୍ଲା ଜୀବନ ବିମା ନିଗମ ଏଜେଣ୍ଟ ସଂଘ କର୍ମକର୍ତ୍ତା ସେମାନଙ୍କୁ ଚାଉଳ, ଶୁଖିଲା ଖାଦ୍ୟ ସହ ପାଠପଢିବା ପାଇଁ ବହି-ଖାତା, କଲମ ଆଦି ଦେଇଛନ୍ତି ।  କେନ୍ଦୁଝରର ସର୍ଭ ଫର ପିପୁଲ ନାମକ  ସଙ୍ଗଠନ ସ୍ୱର୍ଗତ କାହ୍ନୁଚରଣଙ୍କ ଶୁଦ୍ଧି କ୍ରିୟାର ସମସ୍ତ ଦାୟୀତ୍ୱ ବହନ କରିବା ସହ ପିଲାଙ୍କ ଶିକ୍ଷାଲାଗି ସମସ୍ତ ସହାୟତା ଦେବାର ପ୍ରତିଶୃତି ଦେଇଛନ୍ତି ।

ସେହିଭଳି ଅନ୍ୟ ଏକ ସ୍ୱେଚ୍ଛାସେବୀ ସଂଗଠନ ଜୟଦୁର୍ଗା ଫାଉଣ୍ଡେସନର  କର୍ମକର୍ତ୍ତାମାନେ ଚାଉଳ, ଶୁଖିଲା ଖାଦ୍ୟ ଦେବା ସହ ତିନି ଅନାଥ ଶିଶୁଙ୍କ ନିର୍ମାଣାଧିନ ଘରକୁ ସଂପୂର୍ଣ୍ଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ବ୍ରହ୍ମପୁର ରୋଟାରୀ କ୍ଲବ୍ ଇଷ୍ଟ ଶାଖାର ପୂର୍ବତନ ସଭାପତି ଅଜିତ୍ କୁମାର ପୃଷ୍ଟି ଅନାଥ ପିଲାଙ୍କ ସହାୟତା ପାଇଁ ନ୍ୟୁଜ୍‌ ସେଭେନ୍‌ ପ୍ରତିନିଧିଙ୍କ  ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

କେବଳ ଏତିକି ନୁହେଁ , ଖବର ପ୍ରସାରଣ ପରେ ଆନନ୍ଦପୁର ବ୍ଲକ୍ ପ୍ରଶାସନ ତରଫରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି ।  ତିନି ଅନାଥ ଭାଇ-ଭଉଣୀଙ୍କୁ ବ୍ଲକ୍ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏସବୁ ଭିତରେ ବେଶି ଖୁସି ଗାଁ ଲୋକେ, ବାପା-ମାଆ ଛେଉଣ୍ଡ ପିଲାଙ୍କୁ ଏବେ ବଞ୍ଚିବାର ରାହା ମିଳିଥିବାରୁ , ସେମାନେ ଆଶ୍ୱସ୍ତ ହେବା ସହ ନ୍ୟୁଜ୍‌ ସେଭେନ୍‌ର ଖବର ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କହି ନ୍ୟୁଜ୍‌ ସେଭେନ୍‌କୁ ଧନ୍ୟବାଦ ଦେଇଛନ୍ତି ।

ପଢନ୍ତୁ ପୂର୍ବ ଘଟଣାକ୍ରମ:- ମାଆ ନାହିଁ-ବାପା ନାହିଁ, ଭାତ ପାଇଁ ଚାଉଳ ନାହିଁ : ଭୋକରେ ଆଉଟୁପାଉଟୁ ୩ ଅନାଥ ଭାଇ ଭଉଣୀଙ୍କ କଷ୍ଟ ଦେଖିଲେ ଛାତି…

   Related Posts