ଶହେ ଟଙ୍କା ଫାଇନ୍ ପାଇଁ ସତ ! ହେଲମେଟ୍ ଚେକିଂ ବେଳେ ପୋଲିସକୁ ତାଜୁବ କରିଦେଲେ ଯୁବକ

Published By : Prameya-News7 Bureau | November 16, 2018 IST

ବେଙ୍ଗାଲୁରୁ ୧୬|୧୧: ବେଙ୍ଗାଲୁରୁ ପୋଲିସକୁ ତାଜୁବ କରିଦେଲେ  ସ୍ପିଡ୍ ବାଇକର ଯୁବକ । ପକେଟରୁ ରକ୍ତ ଭିଜା ଛୁରୀ ବାହାର କରି ଯୁବକ ଯାହା କହିଲେ, ସେଥିରେ ଖୋଦ୍ ପୋଲିସ ଅଫିସର ବି ଚକିତ ହୋଇଗଲେ । ବେଙ୍ଗାଲୁରୁ  ନିକଟରେ  ଚିକ୍କାବଲ୍ଲାପୁରା ପୋଲିସ  ହେଲମେଟ୍ ଚେକିଂ କରୁଥିବା ବେଳେ ଘଟିଛି ଏହି ଅଭାବନୀୟ ଘଟଣା । ଏକ ସ୍ପିଡ୍‌ ବାଇକ୍‌ରେ ଆସୁଥିବା ବିନା ହେଲମେଟଧାରୀ ଜଣେ ଯୁବକଙ୍କୁ  ଟ୍ରାଫିକ୍ ପୋଲିସ ଅଧିକାରୀ ଅଟକାଇଥିଲେ । ହେଲମେଟ୍ ପିନ୍ଧି ନଥିବାରୁ ଗାଡିର କାଗଜପତ୍ର ସହ ଡ୍ରାଇଭିଂ ଲାଇସେନ୍ସ ମାଗିଥିଲେ ଏବଂ ତା ସହ ୧ ଶହ ଟଙ୍କା ଜରିମାନା ଦେବାକୁ କହିଥିଲେ । କିନ୍ତୁ ଏସବୁ ଦେବା ବଦଳରେ ସଂପୃକ୍ତ ଯୁବକ ଜଣକ ତାର ପ୍ୟାଣ୍ଟ୍ ପକେଟ୍‌ରୁ ଏକ ରକ୍ତ ଭିଜା ଛୁରୀ ବାହାର କରିଥିଲା । ଆଉ କହିଥିଲା, ‘ମୋତେ କ୍ଷମା କରିଦିଅନ୍ତୁ, ମୁଁ  ମୋ ସାଙ୍ଗକୁ ଛୁରୀ ଭୁଷିଦେଇଛି ଏବଂ ଥାନାକୁ ଯାଉଛି ଆତ୍ମସମର୍ପଣ କରିବାକୁ ।’ ଯୁବକଙ୍କ ଏପରି କଥା ଶୁଣି ହଠାତ୍ ପୋଲିସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାପରେ ଅଭିଯୁକ୍ତ ଠାରୁ ପୁରା ଘଟଣା ଶୁଣିବା ପରେ ଛୁରୀଟିକୁ ଜବତ କରି ତାକୁ ଗିରଫ କରିଥିଲେ । ଗିରଫ ଯୁବକ ଜଣକ ୨୬ ବର୍ଷୀୟ ସନ୍ଦିପ ସେଟ୍ଟି । ଚିକ୍କାବଲ୍ଲାପୁରା ବାସିନ୍ଦା ୨୬ ବର୍ଷୀୟ ସନ୍ଦୀପ୍  ଜଣେ ସ୍ନାତ୍ତକ । ସେ ତାର ସାଙ୍ଗ ଦେବରାଜ ସହ ମିଶି ବ୍ୟବସାୟ କରିବାକୁ ଚାହୁଁଥିଲା। ଖାଇବା ତେଲର ବ୍ୟବସାୟ କରୁଥିବା  ଦେବରାଜ ଅଧିକ ଲାଭର ଲୋଭ ଦେଖାଇ  ସନ୍ଦୀପ୍ ଠାରୁ ୧ ଲକ୍ଷ ଟଙ୍କା ନେଇଥିଲା । ସେହି ଟଙ୍କାକୁ ରିଅଲ ଇଷ୍ଟେଟ୍‌ ବ୍ୟବସାୟରେ ଲଗାଇ ଅଧିକ ଲାଭ କରିବାର ପ୍ରତିଶ୍ରୁତି ଦେଇଥିଲା ଦେବରାଜ । କିନ୍ତୁ ତାହା କରିନଥିଲା ଦେବରାଜ । ସନ୍ଦୀପ୍ ତାକୁ ବାରମ୍ବାର ମାଗୁଥିଲେ ବି ଦେବରାଜ ତା ଟଙ୍କା ଫେରାଉ ନଥିଲା ଓଲଟା ଗାଳି ଗୁଲଜ କରୁଥିଲା । ତେଣୁ ତାକୁ ଶେଷରେ ଛୁରୀ ଭୁଷି ଦେଇଥିଲା ସନ୍ଦୀପ୍ । ଗୁରୁତର ଆହତ ଦେବରାଜ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.