Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହେବିୱେଟ୍ ନେତାଙ୍କ ପ୍ରଚାରରେ କମ୍ପୁଛି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ

26/04/2019 at 5:06 PM

ରାଇରଙ୍ଗପୁର ୨୬|୪: ମୟୂରଭଞ୍ଜ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ହେବ ନିର୍ବାଚନ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଲା ପରେ ସମସ୍ତ ରାଜନୈତିକ ଦଳମାନଙ୍କ ଫୋକସରେ ରହିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ମଇଦାନ । ହେବିୱେଟ ଓ ଷ୍ଟାର ପ୍ରଚାରକ ମାନଙ୍କ ପ୍ରଚାରରେ ଉଠୁଛି ପଡୁଛି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ।  ଜେଏମଏମ ଦଳର କେନ୍ଦ୍ରୀୟ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ଯୋଗଦେଇ ଜେଏମଏମ-କଂଗ୍ରେସ ମେଣ୍ଟ ଲୋକସଭା ପ୍ରାର୍ଥିନୀ ଅଞ୍ଜନୀ ସୋରେନ ମାରାଣ୍ଡି ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁଙ୍କ ପାଇଁ ପ୍ରଚାର କରିଥିଲେ ।

ବିଜେଡି ଲୋକସଭା ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ଓ ରାଇରଙ୍ଗପୁର ବିଧାୟିକା ପ୍ରାର୍ଥୀ ବାସନ୍ତୀ ମାରାଣ୍ଡିଙ୍କ ପ୍ରଚାର କରିଥିଲେ ଅଚ୍ୟୁତ ସାମନ୍ତ । ଆଦିବାସୀ ଭୋଟକୁ ହାତେଇବା ପାଇଁ ଅଚ୍ୟୁତ ସାମନ୍ତ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

ସେହିପରି ସଂଖ୍ୟାଲଘୁ ଭୋଟରଙ୍କୁ ହାତେଇବା ନେଇ ବିଜେଡି ରାଜ୍ୟ ସଭାପତି ସଂଖ୍ୟାଲଘୁ ସେଲର ମୁନ୍ନା ଖାନ୍ ମଧ୍ୟ ରାଇରଙ୍ଗପୁର ଗସ୍ତ କରିଥିଲେ । ରାଇରଙ୍ଗପୁରର ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟ ଗ୍ରାମଗୁଡିକରେ ରୋଡ୍ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ରାଇରଙ୍ଗପୁର ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀ ପାଇଁ ଭୋଟ୍ ଭିକ୍ଷା କରିଥିଲେ । ପରେ ରାଇରଙ୍ଗପୁର ସହରରେ ହାଇଟେକ୍ ବସରେ ରୋଡ୍ ସୋ ମଧ୍ୟ କରିଥିଲେ ।

ସେହିପରି ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶା ପ୍ରଭାରୀ ଅରୁଣ ସିଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର  ବିଭିନ୍ନ ବିଜୟ ସଂକଳ୍ପ ସଭାରେ  ବିଜେପି ଲୋକସଭା ପ୍ରାର୍ଥୀ ବିଶେଶ୍ଵର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ନବଚରଣ ମାଝିଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ।  ହେବିୱେଟ ନେତାମାନଙ୍କ ପ୍ରଚାରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ କମ୍ପିଉଠିଥିଲା ।

   Related Posts