ଦାନା ବାନ୍ଧୁଛି ଲଘୁଚାପ : ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ

Published By : Prameya-News7 Bureau | July 26, 2019 IST

ଭୁବନେଶ୍ବର ୨୬|୭: ଉତ୍ତର ବଙ୍ଗୋପସାଗରରେ ତଥା ପଶ୍ଚିମବଙ୍ଗ ଉପକୂଳରେ ଦାନା ବାନ୍ଧୁଛି ଲଘୁଚାପ । ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।  ଏହା ପୂର୍ବରୁ ଗତକାଲି ଠାରୁ ସକ୍ରିୟ ହୋଇଛି ମୌସୁମୀ । ଏହା ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି ।

ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ଦୁଇ ଦିନ ଧରି ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାରିପଦାରେ ଦେଶର ସର୍ବାଧିକ ୧୩୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।  ଆଜି ଏବଂ ଆସନ୍ତାକାଲି ପାଇଁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି  କଟକ, ପୁରୀ, ଖୋର୍ଦ୍ଧା, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, କେନ୍ଦ୍ରାପଡ଼ା, ବଲାଙ୍ଗିର, କଳାହାଣ୍ଡି, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ । ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ । ୫୦ରୁ ୬୦ କିଲୋମିଟର ବେଗରେ ମଧ୍ୟ ପବନ ବହିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସେପଟେ ୩୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହାର ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.