ଲଗାଣ ବର୍ଷା ଯୋଗୁଁ ମାଲକାନଗରି ଜିଲ୍ଲାରେ ବନ୍ୟା ପରିସ୍ଥିତି
16/08/2018 at 6:11 AM

ମାଲକାନଗିରି ୧୬/୮ : ଲଗାଣ ବର୍ଷା ଯୋଗୁଁ ମାଲକାନଗରି ଜିଲ୍ଲାରେ ବନ୍ୟା ପରିସ୍ଥିତି । ଜିଲ୍ଲାର ସମସ୍ତ ନଦୀରେ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ପାଙ୍ଗାମ, କାଙ୍କୁରୁକୋଣ୍ଡା ଓ ପୋଟେରୁ ନଦୀ ପୋଲ ଉପରେ ୪ ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି । ଫଳରେ ନଦୀର ଦୁଇ ପଟେ ଅନେକ ଯାନବାହାନ ଅଟକି ରହିଛି । ବନ୍ୟା ଯୋଗୁଁ ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହୋଇଛି । ଖଇରପୁଟ, ମାଥିଲି ଓ କୋରୁକୋଣ୍ଡା ବ୍ଲକର ଅନେକ ଗାଁ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ବନ୍ୟାରେ ଆଦିବାସୀ ଲୋକଙ୍କ ଅନେକ ଘରଦ୍ବାର ଭାଙ୍ଗି ଯାଇଛି । ବଣ୍ଡାଘାଟିରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି । ସେହିପରି ମାଙ୍କଡଝୋଲା ନାଳ ଉପରେ ପାଣି ଚାଲୁଥିବାରୁ ବଣ୍ଡାଘାଟିର ୩ଟି ପଞ୍ଚାୟତ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ମାଥିଲି ବ୍ଲକର ଡୁରୁକାଗୁଡା ଠାରୁ ଗୋଲିଆଗୁଡା ଯିବା ରାସ୍ତାର ମାରିମୁଣ୍ଡା ଠାରେ ଏକ ପୋଲ ଭାଙ୍ଗି ଯାଇଛି । ମହୁପଦର ପଞ୍ଚାୟତ କାର୍ଯ୍ୟାଳୟ ସହ ସ୍ବାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟ ପାଣି ଘେରରେ ରହିଛି । ଚାରିଆଡେ ପାଣି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି ।