ସମ୍ଭାବ୍ୟ ବାତ୍ୟା ସହ ବଡ ବର୍ଷା ଆଶଙ୍କା, ୫ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସତର୍କତା !

Published By : Prameya-News7 Bureau | May 21, 2021 IST

ଭୁବନେଶ୍ଵର ୨୧।୦୫: ସମ୍ଭାବ୍ୟ ବାତ୍ୟା ସହ ବଡ ବର୍ଷା ଆଶଙ୍କା । ଉପକୂଳବର୍ତ୍ତୀ ଜିଲ୍ଲାରେ ଉପୁଜିପାରେ ବନ୍ୟା ସ୍ଥିତି । ଆଗାମୀ ୫ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏହା ପରେ ବାତ୍ୟା ୟସ୍ ଜନିତ ପ୍ରବଳ ବର୍ଷା ଗମ୍ଭୀର ସ୍ଥିତି ସୃଷ୍ଟି କରିପାରେ । ଏହାକୁ ମୁକାବିଲା କରିବାକୁ ୧୦ ଜିଲ୍ଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଳ ସମ୍ପଦ- ଏହି ୩ ବିଭାଗର ସମନ୍ବୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ସ୍ଥିର କରାଯାଇଛି । ଖରା ଦିନ ଯୋଗୁଁ ବନ୍ୟା ସ୍ଥିତି ଉପୁଜିବ ନାହିଁ କିନ୍ତୁ କେବଳ ଫ୍ଲାସ୍ ଫ୍ଲଡ୍ ସ୍ଥିତି ଆସିପାରେ। ଏହାକୁ ଆଖିରେ ରଖି  ପ୍ରସ୍ତୁତି କରାଯାଉଥିବା ଜଳସଂପଦ ବିଭାଗର ଇଞ୍ଜିନିୟର ଇନ୍ ଚିଫ୍ ଜ୍ୟୋତିର୍ମୟ ରଥ କହିଛନ୍ତି। ଦୁର୍ବଳ ନଦୀ ବନ୍ଧ ସ୍ଥାନରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ।

ଜଗତସିଂପୁରର କୁଜଙ୍ଗ, ରାହାମା, ତିର୍ତ୍ତୋଲରେ ମହାନଦୀ ବନ୍ଧ ମରାମତି କାମ ଚାଲିଥିବାରୁ ବନ୍ଧ ଖୋଳା ହୋଇ ପଡିଛି । ଫ୍ଲାସ୍ ଫ୍ଲଡ୍ ଆସିଲେ ନଦୀକୂଳିଆ ଗାଁରେ ପାଣି ପଶିବାର ଆଶଙ୍କା ରହିଛି । ସେହିପରି ଦେବୀ ନଦୀ ବନ୍ଧର ଆଳିପିଙ୍ଗଳ, ତୁମ୍ବେଶ୍ଵର, ଭଣ୍ଡିସାହି, ଗଣ୍ଡକୁଳ, ଧନୁଅର, ବେଲାରୀଠାରେ ମଧ୍ୟ ନଦୀ ବନ୍ଧ ଦୁର୍ବଳ ଥିବାରୁ ଏସବୁ ଅଞ୍ଚଳର ଲୋକ ଭୟରେ ଅଛନ୍ତି ।  ସେପଟେ କେନ୍ଦ୍ରାପଡା ଜଳସେଚନ ଡିଭିଜନ  ଆସନ୍ତାକାଲିଠାରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବ। ବିଭିନ୍ନ ଅଞ୍ଚଳରେ ସ୍ଥିତି ଉପରେ କନିଷ୍ଠ ଯନ୍ତ୍ରୀ ମାନେ ନଜର ରଖିବେ ।

ସାମ୍ଭାବ୍ୟ ବାତ୍ୟା ବନ୍ୟା ସୂଚନା ଆସିବା ମାତ୍ରେ ମହାକାଳପଡାର ସମୁଦ୍ରକୂଳିଆ ପେଟଛେଲା ଗାଁର ୩ଶହ ପରିବାର ଭୟଭୀତ ହୋଇ ପଡିଛନ୍ତି, କାରଣ ମହାବାତ୍ୟା ପରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟ ସ୍ଥଳି ଭାଙ୍ଗିରୁଜି ଯାଇଛି । ବାତ୍ୟା ଆଶ୍ରୟ ସ୍ଥଳି ସଜାଡିବାକୁ ଜୋରସୋର ଉଦ୍ୟମ ଚାଲିଛି । 

ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଯାଜପୁର ଜିଲ୍ଲା ପ୍ରଶାସନ । ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ଅନୁଧ୍ୟାନ କରିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।  ଅମଳ ଯୋଗ୍ୟ ଫସଲ ନିରାପଦ ସ୍ଥାନକୁ ଆଣିବା ଲାଗି ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ସେପଟେ ଯାଜପୁରରେ କିଛି ଘାଇ ମୁକୁଳା ପଡିଛି, ଯାହାକୁ ନେଇ ଦଶରଥପୁର,ବରି, ବିଂଝାରପୁର ବାସୀଙ୍କ ମନରେ ଛନକା ପଶିଛି ।

ପାରାଦୀପ ସମୁଦ୍ରରେ ନିୟୋଜିତ ଥିବା ତଟରକ୍ଷୀ ବାହିନୀ  ବାତ୍ୟା ସମ୍ପର୍କରେ ସୂଚନା ଦେବାସହ ତୁରନ୍ତ କୂଳକୁ ଫେରି ଆସିବାକୁ ମତ୍ସ୍ୟଜୀବୀମାନଙ୍କୁ ନିବେଦନ କରାଯାଇଛି। ଆସନ୍ତା ୨୭ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ବାତ୍ୟା ଏବଂ ବନ୍ୟା ସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ତଟରକ୍ଷୀ ବାହିନୀର ଜାହାଜ ଓ ଡୋନିୟର୍ ଏୟାର କ୍ରାଫ୍ଟ ସମ୍ପୂର୍ଣ୍ଣ ସଜାଗ ରହିଛି । ତେବେ କୋଭିଡ ସମୟରେ ବାତ୍ୟା-ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବା ଏବଂ ଥଇଥାନ କରିବା ସବୁଠୁ ବଡ ଚାଲେଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.