ଆରବସାଗରରେ ଚକ୍ରବାତ ଯୋଗୁଁ କେରଳରେ ପ୍ରବଳ ବର୍ଷା : ୧୦୦୦ରୁ ଅଧିକ ଲୋକଙ୍କୁ ପଠାଗଲା ସୁରକ୍ଷିତ ସ୍ଥାନକୁ
1/11/2019 at 4:49 PM

ତିରୁଅନନ୍ତପୁରମ୍ ୧/୧୧: ଆରବସାଗରରେ ଚକ୍ରବାତ ଯୋଗୁଁ କେରଳରେ ଗତକାଲି ପ୍ରବଳ ବର୍ଷା ହୋଇଥିଲା ଏବଂ ୧୦୦୦ରୁ ଅଧିକ ଲୋକଙ୍କୁ ୧୧ଟି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏବେ ଯାଏଁ ଘରକୁ ଫେରି ନଥିବା ୬ଜଣ ମତ୍ସ୍ୟଜୀବିଙ୍କୁ ଖୋଜା ଚାଲିଛି।

ପାଣିପାଗ ବିଭାଗ ‘ମହା’ ଚକ୍ରବାତ ଦୁର୍ବଳ ନ ହେବା ଯାଏଁ ମତ୍ସ୍ୟଜୀବିଙ୍କୁ ନଭେମ୍ବର ୨ତାରିଖ ଯାଏଁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦେଇଛନ୍ତି। ପାଣିପାଗ ବିଭାଗ କହିଛି ଯେ ‘ମହା’ ଗତକାଲି ଭୀଷଣ ଚକ୍ରବାତ ଝଡ଼ରେ ରୂପାନ୍ତରିତ ହୋଇଛି ଏବଂ ଆସନ୍ତା ୨୪ଘଣ୍ଟାରେ ପୂର୍ବ ମଧ୍ୟ ଆରବସାଗରରେ ଏହା ଅତିଶୟ ଭୀଷଣ ଚକ୍ରବାତ ଝଡ଼ରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି।

ଏହା ପରେ ଏହି ଚକ୍ରବାତ ଧୀରେ ଧୀରେ ଦୁର୍ବଳ ହେବ। ଭାରତୀୟ ପାଣିପାଗ ବିଭାଗ ଏବଂ କେରଳ ପ୍ରାକୃତିକ ଦୁର୍ବିପାକ ବିଭାଗ କେରଳରେ ପ୍ରବଳ ବର୍ଷା ଏବଂ ଭୀଷଣ ବେଗରେ ପବନ ବୋହିବାର ଚେତାବନୀ ଜାରି କରାଯାଇଛି।
