୯ରେ ଲଘୁଚାପ, ୧୧ରୁ ଜୋର ବର୍ଷା : ୬ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ

Published By : Prameya-News7 Bureau | October 08, 2020 IST

ଭୁବନେଶ୍ବର ୮।୧୦: ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ସହ ୧୦ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହା ପ୍ରଭାବରେ ୧୧ ତାରିଖରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ।  

ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ, ୯ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୧୦ ତାରିଖରେ ଅବପାତରେ ପରିଣତ ହେବ। ଆସନ୍ତା ୧୧ ତାରିଖ ବେଳକୁ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି। ପ୍ରଭାବରେ ୫ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ୫ଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା ଏବଂ ଗଞ୍ଜାମ । ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜରି କରାଯାଇଛି ।

ଅନ୍ୟପଟେ ୬ଟି ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୬ଟି ଜିଲ୍ଲା ହେଉଛି ପୁରୀ, କନ୍ଧମାଳ, ଖୋର୍ଦ୍ଧା, ଜଗତସିଂହପୁର, କଳାହଣ୍ଡି ଏବଂ ନବରଙ୍ଗପୁର ।

ଲଘୁଚାପ ଅବପାତରେ ପରିଣତ ହେବା ପରେ ସମୁଦ୍ର ଉପକୂଳରେ ଘଣ୍ଟାପ୍ରତି ୪୪ରୁ ୫୫କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗଭୀର ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ୧୦ ତାରିଖ ସୁଦ୍ଧା ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୧୪ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.