୨୬ଯାଏଁ କାଚିବ, ଦୀପାବଳି ରହିବ ଶୁଖିଲା : ସତର୍କ ରହିବା ଲାଗି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

Published By : Prameya-News7 Bureau | October 23, 2019 IST

ଭୁବନେଶ୍ବର ୨୩|୧୦: ଲଘୁଚାପ ବର୍ଷାରେ ଭିଜିଲା ସାରା ଓଡ଼ିଶା ।ଆଜି ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଘୁଚାପ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଏଥିଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି ।ବିଶେଷ କରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି ।ଆସନ୍ତା ୭୨ ଘଣ୍ଟା ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ମୌସୁମୀ ଚାଲିଗଲା ।କିନ୍ତୁ ଓଡ଼ିଶାକୁ ଛାଡୁନି ବର୍ଷା ।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ।ବୁଧବାର ସକାଳୁ ସକାଳୁ ଆରମ୍ଭ ହୋଇଯାଇଥିବା ବର୍ଷା ପ୍ରଭାବରେ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି ।ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି ।୭୨ ଘଣ୍ଟା ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।, ରାୟଗଡ଼ା, ପୁରୀ, ନୟାଗଡ଼, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ପ୍ରବଳ ବର୍ଷା ସମ୍ଭାବନା ରହିଛି ।ସେହିପରି ଆସନ୍ତାକାଲି ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, କଟକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।୨୫ ତାରିଖରେ କେନ୍ଦୁଝର, ଆଜି ଗଜପତି, ଗଞ୍ଜାମ ମୟୂରଭଞ୍ଜ, କଟକ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଲଘୁଚାପ ବର୍ଷାରେ ଏ ହେଉଛି ପୁରୀ ବଡ଼ଦାଣ୍ଡର ଦୃଶ୍ୟ ।ଲହଡ଼ି ଭାଙ୍ଗୁଛି ପାଣି । ବଡ଼ଦାଣ୍ଡ, ଡାକ୍ତରଖାନା ଛକ ଓ ଗୁଣ୍ଡିଚା ମନ୍ଦିର ନିକଟରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିବାରୁ ଯାଆସରେ ଲୋକେ ନାହିଁନଥିବା ହଇରାଣ ହୋଇଥିଲେ ।ସହରର ତଳି ଅଞ୍ଚଳ ଗୁଡ଼ିକୁ ମଧ୍ୟ ବର୍ଷାପାଣି ମାଡି ଯାଇଥିଲା।

ଗଜପତି ଜିଲ୍ଲାରେ ମଙ୍ଗଳବାର ରାତିରୁ ବର୍ଷା ଲାଗି ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ବିଡିଓ ମାନଙ୍କୁ ସତର୍କ କରାଇ ଦିଆଯାଇଛି ।ଅଧିକ ବର୍ଷା ହେଲେ ଫସଲ ଅମଳ ନଷ୍ଟ ହେବାର ଆଶଙ୍କା ରହିଛି ।ଜିଲ୍ଲାରେ ଆହୁରି ୨ ଦିନ ବର୍ଷା ହେବାର ସମ୍ଭାବନା ଥିବାରୁ ବନ୍ୟା ଆଶଙ୍କା ରହିଛି ।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ଚିଠି ଲେଖିଛନ୍ତି ।୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବା ବେଳେ ଦିପାବଳୀରେ କିନ୍ତୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.