ବଙ୍ଗୋପସାଗରରେ ଲଘୁଚାପ : ପ୍ରବଳ ବର୍ଷା ଓ ମହାନଦୀରେ ବନ୍ୟା ଆଶଙ୍କା, ଆଲର୍ଟ ଜାରି
29/06/2019 at 12:59 PM

ଭୁବନେଶ୍ବର ୨୯|୬: ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପର ସିଧାସଳଖ ପ୍ରଭାବ ଓଡିଶା ଉପରେ ପଡିବାକୁ ଯାଉଛି । ଆଜି ରାତିରୁ ରାଜ୍ୟର ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ପରେ ବର୍ଷାର ପରିମାଣ ବଢ଼ିବ । ଜୁଲାଇ ୩ ତାରିଖ ଯାଏ ଲାଗିରହିବ ବର୍ଷା । ୪ ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ବାଦଲ ଫଟା ବର୍ଷା ବି ହୋଇପାରେ ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜୁଲାଇ ୧ରେ ଓଡ଼ିଶା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ମୁକାବିଲା ଲାଗି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଏଥିସହ ଓଡିଶା ପାଇଁ ରେଡ୍ ଅଲର୍ଟ ଜାରି କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ଲଘୁଚାପ ବଳୟ ୪୮ ଘଣ୍ଟା ପରେ ଗଭୀର ଅବପାତ ରୂପ ନେଇ ଓଡ଼ିଶା ଅତିକ୍ରମ କରିବ । ପ୍ରଭାବରେ ଓଡ଼ିଶାର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେବେ ମଦାନଦୀ ଉପରମୁଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ବନ୍ୟା ଆଶଙ୍କାକୁ ଟାଳି ଦିଆଯାଇ ନପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।