Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆସନ୍ତା ୨୦ରେ ବଙ୍ଗୋପସାଗରରେ ଲଘୁଚାପ ! ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

19/09/2020 at 8:44 AM

ଭୁବନେଶ୍ବର ୧୯।୯: ଆସନ୍ତା ୨୦ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ସେହିପରି ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଲଘୁଚାପଜନିତ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ଧୀବରମାନଙ୍କ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି । ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ଯାଇଛନ୍ତି ୨୦ ସୁଦ୍ଧା କୂଳକୁ ଫେରି ଆସିବାକୁ ପୁଣି ଆଜି ସତର୍କ ସୂଚନା ଦୋହରାଯାଇଛି ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ନୌଲ୍‌’ ର ପ୍ରଭାବରେ ବଙ୍ଗୋପ ସାଗରରେ ଆସନ୍ତା ରବିବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାର ଠିକ୍‌ ଗୋଟିଏ ଦିନ ପରେ ବଙ୍ଗୋପ ସାଗରରେ ଏହା ଅବପାତ ରୂପ ନେବ । ରବିବାର ରାତି ସୁଦ୍ଧା ଏହା ପଶ୍ଚିମ ବଙ୍ଗରେ ଅନୁଭୂତ ହେବା ସମ୍ଭାବନା ଥିବା ବେଳେ ଏହାର ଗତି ଝାଡଖଣ୍ଡ ଓ ଛତିଶଗଡ ମୁହାଁ ହେବ । ଯାହାର ପ୍ରଭାବ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରହିବ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୦ ଓ ୨୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ୨୨ ତାରିଖରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ୧୯ରୁ ୨୧ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ ଆକଳନ କରିଛନ୍ତି । ଅପରପକ୍ଷେ କୃଷିପାଣିପାଗବିତ୍‌ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ରାଜ୍ୟରେ ଲଘୁଚାପଜନିତ ବର୍ଷା ବିଶେଷ ନାହିଁ । ୧୪ ତାରିଖରେ ଆକଳନ କରାଯାଇଥିଲା ଯେ ମିଆଁମାର ଉପକୂଳରେ ୨୦ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ । ଯାହାଦ୍ୱାରା ରାଜ୍ୟରେ ୨୧ ତାରିଖରେ ବର୍ଷା ହେବ । ସେହି ଆକଳନ ବଜାୟ ରହିଛି । ତେବେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ସମସ୍ତ ପ୍ରକାରର ମଡେଲକୁ ବିଶ୍ଳେଷଣ କରି ସେ କହିଛନ୍ତି ଯେ, ନୌଲ୍‌ର ଅଂଶବିଶେଷ ଆସି ୨୦ ତାରିଖ ଭୋରରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପରେ ଏହାର ଗୋଟିଏ ଅଂଶ ମିଅଁମାର ଉପକୂଳରୁ ବାଂଲାଦେଶ ଆଡ଼େ ଗତି କରିବ । ଆଉ ଗୋଟିଏ ଅଂଶ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପରେ ମିଶି ପଶ୍ଚିମା ମୁହଁ କରି ଆନ୍ଧ୍ର ଉପକୂଳ/ଦକ୍ଷିଣ ଓଡ଼ିଶା ଦେଇ ମଧ୍ୟ ଭାରତ ଓ ପରେ ଉତ୍ତର ଭାରତକୁ ଘନିଭୂତ ହୋଇ ଯିବ । ହେଲେ ଓଡ଼ିଶାରେ ବିଶେଷ ବର୍ଷା ନାହିଁ ।

ଉତ୍ତର ଓଡ଼ିଶାରେ ୨୧ରୁ ୨୩ ସ୍ୱଳ୍ପ ଓ ୨୪ରୁ ୨୬ ମଧ୍ୟମ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୨୧ରୁ ୨୩ ସ୍ୱଳ୍ପ, ୨୪ରୁ ୨୬ ମଧ୍ୟମ ଏବଂ ଉପକୂଳ ଓଡ଼ିଶାରେ ୨୧ରୁ ୨୩ ହାଲୁକାରୁ ସ୍ୱଳ୍ପ ଓ ୨୪ରୁ ୨୬ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।

   Related Posts