ପ୍ରଭାବ ପକାଇବ ବାତ୍ୟା ‘ୟସ୍’, ବୁଧବାର କଟକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

Published By : Prameya-News7 Bureau | May 24, 2021 IST

କଟକ ୨୪।୫: କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା । ବାତ୍ୟା ‘ୟସ୍’ ପ୍ରଭାବରେ ବୁଧବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି କଟକ କୃଷି ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ କଟକ ସହର ସହ ପୁରା କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଜିଲ୍ଲାରେ ୬୧ ମିଲିମିଟରରୁ ୧୨୦ମିଲିମିଟର ପର୍ଯ୍ୟନ୍ତ ବୃଷ୍ଟିପାତ ହୋଇପାରେ ବୋଲି କଟକ କୃଷି ବିଜ୍ଞାନ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

{"id":456456,"sizeSlug":"large","linkDestination":"none"}

ବଙ୍ଗୋପସାଗରରୁ ମାଡ଼ି ଆସୁଛି ବାତ୍ୟା ‘ୟସ୍‌’ । ଆସନ୍ତା ୨୬ରେ ଉତ୍ତର ଓଡ଼ିଶା ଉପକୂଳରେ ମାଡ଼ ହେବ । ବୁଧବାର ପ୍ରାୟ ଅପରାହ୍ନରେ ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଅତିକ୍ରମ କରିବ । ସେତେବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୫୫ କି.ମି.ରୁ ୧୬୫ କି.ମି. ଛୁଇଁପାରେ ବୋଲି ଆକଳନ କରାଯାଉଛି । ପବନ ଝଟ୍‌କା ୧୮୫ କି.ମି. ମଧ୍ୟ ହୋଇପାରେ । ସୋମବାର ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇସାରିଛି । କିଛି ସମୟ ପରେ ଏହା ବାତ୍ୟାରେ ପରିଣତ ହେବ ।

ୟସ୍‌ ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଓ ବାତ୍ୟାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଏଭଳି ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.