ଆଜିଠୁ ୩ଦିନ ଯାଏ ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା :୧୦ ଜିଲ୍ଲା ପାଇଁ ଆଲର୍ଟ ଜାରି
30/06/2019 at 8:09 AM

ଭୁବନେଶ୍ବର ୩୦/୬: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆଜି ଠାରୁ ତିନିଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉପରମୁଣ୍ଡ ସମେତ ତଳମୁଣ୍ଡରେ ବର୍ଷା ହେବା ଯୋଗୁଁ ବନ୍ୟା ହେବାର ମଧ୍ୟ ଆଶଙ୍କା ରହିଛି । ଏହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
୧୦ ଜିଲ୍ଲାକୁ ଆଲର୍ଟ । କିନ୍ତୁ ସାରା ରାଜ୍ୟରେ ପ୍ରବଳ ବର୍ଷିବ। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲାରେ ଭାରି ମାତ୍ରାରେ ବର୍ଷା ହେବ । ଉତ୍ତର ପଶ୍ଚିମ ବଙ୍ଗପସାଗରରେ ୨୪ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହପରି ୪୮ ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ସବୁ ଭାଗରେ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ କରି ଉପକୂଳ ସମତେ ଉତ୍ତର ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସେହିପରି ଦକ୍ଷିଣ ତଥା ପଶ୍ଚିମ ଓଡିଶାରେ ମଧ୍ୟ ବୃଷ୍ଟିପାତ ହେବାର ସମ୍ଭବନା ରହିଛି । ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର, ସମ୍ବଲପୁର, ଦେବଗଡ, କୋରାପୁଟ, ଗଞ୍ଜାମ ଓ ମାଲକାନଗିରି ଜିଲାରେ ଭାରି ମାତ୍ରାରେ ବର୍ଷା ହେବ । ଏହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସମୁଦ୍ର ଭିତରକୁ ଯାଇଥିବା ମାଛ ଧରାଳୀମାନଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଫେରିବା ପାଇଁ ସୂଚନା ଦିଅଯାଇଛି ।
ସବୁ ନଦୀର ଜଳସ୍ତର ବଢିବ । କାରଣ ଉପରମୁଣ୍ଡ ସମେତ ତଳମୁଣ୍ଡରେ ବର୍ଷା ହେବ। ତେଣୁ ନଦୀରେ ବନ୍ୟା ହେବାର ଆଶଂକା ରହିଛି । ବିଶେଷ କରି ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣରେଖା ରେ ବନ୍ୟା ହେବାର ଆଶଙ୍କା ରହିଛି । ଜୁନ ମାସରେ ରାଜ୍ୟର ଅଧିକାଂଶ ଭାଗରେ କମ ବୃଷ୍ଟିପାତ ହୋଇଛି। ତେଣୁ ଏହି ବର୍ଷା ଚାଷ ପାଇଁ ଉପାଦେୟ ହେବ।
ବର୍ଷା ଆସିଲା ଆସିଲା ପ୍ରଶାସନ ପାଇଁ ପରୀକ୍ଷାର ସମୟ। ନେତାଙ୍କ ପାଇଁ ପରୀକ୍ଷାର ସମୟ। ସହର ହେଉ କି ଗାଁ ଲୋକେ କେମିତି ହଇରାଣ ନ ହେବେ ଜଳବନ୍ଦୀ ନହେବେ ଏଥିରେ ପ୍ରଶାସନ କେତେ ଆଗୁଆ ସତର୍କ ରହିଛି ତାହା ଜଣା ପଡ଼ିବ। ବିଶେଷ କରି ଫୋନି ପ୍ରଭାବିତ ଅଞ୍ଚଳରେ ଲୋକେ ହଇରାଣ ହେବାର ଆଶଙ୍କା ରହିଛି। ସେହିପରି କଟକ, ବ୍ରହ୍ମପୁର, ପୁରୀ, ଭୁବନେଶ୍ବର ଭଳି ସହରରେ ବିଭିନ୍ନ ସ୍ଥାନ ଜଳବନ୍ଦୀ ହେବାର ଆଶଙ୍କା ଦେଖାଦେଇପାରେ।
ଏଥର ମୌସୁମୀ ଓଡିଶାକୁ ଡେରିରେ ଛୁଇଁଛି । ଯାହାକୁ ନେଇ ଚିନ୍ତିତ ଥିଲେ ଚାଷୀକୂଳ । ଜଳ ବିହୁନେ ଥିବା ଚାଷୀଙ୍କ ଚିନ୍ତା ଜଳବହୁଳ ଚିନ୍ତା ନ ହେଉ।