ରେକର୍ଡ ଭାଙ୍ଗିଲା ବର୍ଷା, ସହରର ଅନେକ ସ୍ଥାନ ଜଳମଗ୍ନ : ପାଣିରେ ଫସିଗଲା ବିଧାୟକଙ୍କ ବସ୍, ନଦୀରେ ପରିଣତ ହେଲା ରାସ୍ତା

Published By : Prameya-News7 Bureau | August 14, 2020 IST

ଜୟପୁର ୧୪/୦୮ : ରାଜସ୍ଥାନ ଜୟପୁରରେ ମୁଷଳଧାରା ବର୍ଷା ଅନେକ ବର୍ଷର ରେକର୍ଡ ଭାଙ୍ଗିଛି | ୫ ଘଣ୍ଟା ହେଲା ସହରରେ ଲଗାତାର ମୁଷଳଧାରା ବର୍ଷା ଲାଗିରହିଛି | ସହରର ସବୁ ରାସ୍ତା ଓ ଗଳିକନ୍ଦିରେ ପାଣି ଭର୍ତ୍ତି ହୋଇଯାଇଛି | ପାଣିପାଗ ବିଭାଗ ଅପରାହ୍ନ ଯାଏଁ ବର୍ଷା ହେବ ବୋଲି ଚେତାବନୀ ଦେଇଛନ୍ତି | ଆଗାମୀ ୨୪ ଘଣ୍ଟା ଆଲର୍ଟ ରହିବାକୁ କୁହାଯାଇଛି | ସକାଳ ସାଢେ ୧୧ଟା ଯାଏଁ ବିମାନବନ୍ଦରରେ ୯୬ ମିମି ବର୍ଷା ରେକର୍ଡ କରାଯାଇଛି | ସିଏମଓ ଲଗାତାର ସ୍ଥିତି ଉପରେ ନଜର ରଖିଛନ୍ତି |

{"id":314393,"width":576,"height":323,"sizeSlug":"large"}

ବର୍ଷା ଯୋଗୁଁ ସହରରେ ହାହାକାର ଖେଳିଯାଇଛି | ସହରର ପରକୋଟାରେ ୨-୩ ଫୁଟ ଉଚ୍ଚ ପାଣି ଜମା ହୋଇଛି | ତଳିଆ ଅଞ୍ଚଳରେ ଥିବା ବସ୍ତିଗୁଡିକ ଜଳମଗ୍ନ ହୋଇଛି | ଶାସନ ସଚିବାଳୟ ସାମ୍ନାରେ ଥିବା ସେଣ୍ଟ୍ରାଲ ପାର୍କର ପାଚେରୀ ବର୍ଷା ଯୋଗୁଁ ଭାଙ୍ଗି ଯାଇଛି | ସହରର ସବୁଠାରୁ ବଡ ହସ୍ପିଟାଲ ଏସଏମଏସ ହସ୍ପିଟାଲର କିଛି ୱାର୍ଡରେ ପାଣି ପଶିଯାଇଛି | ୧୯୮୧ ମସିହା ପରେ ସହରରେ ପ୍ରଥମଥର ଏତେ ବର୍ଷା ହୋଇଛି ବୋଲି କୁହାଯାଉଛି |

{"id":314395,"sizeSlug":"large"}

ଭୀଷଣ ବର୍ଷା ଯୋଗୁଁ ଗୋଲାପୀ ସହରର ରାସ୍ତା ନଦୀରେ ପରିଣତ ହୋଇଛି | ହୋଟେଲ ଫେୟାରମୋଣ୍ଟରୁ କଂଗ୍ରେସ ବିଧାୟକଙ୍କୁ ନେଇ ବିଧାନସଭା ଆସୁଥିବା ଦୁଇଟି ବସ ପାଣିରେ ଫସିଯାଇଛି | ଦୁଇଟି ବସ ଜୋରାଵର ସିଂହ ଗେଟରେ ଫସି ଯାଇଥିଲା | ଉଦ୍ଧାର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପାଖାପଖିଆ ଅଧା ଘଣ୍ଟା ଯାଏଁ ଚେଷ୍ଟା କରି ଦୁଇଟି ବସକୁ ସେଠାରୁ ବାହାର କରାଯାଇଥିଲା |

{"id":314397,"sizeSlug":"large"}

ସହରର ବ୍ରହ୍ମପୁରୀ ଅଞ୍ଚଳରେ ରାସ୍ତାରେ ଏତେ ପାଣି ଜମା ହୋଇଛି ଯେ ରାସ୍ତାରେ ଛିଡା ହୋଇଥିବା ସମସ୍ତ କାରରେ ପାଣି ଭର୍ତ୍ତି ହୋଇଯାଇଛି | ଅନେକ ଘର ଜଳମଗ୍ନ ହୋଇଯାଇଛି | ସହରରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି | ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି | ଏସଡିଆରଏଫର ୫ ଟିମକୁ ସହରର ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.