ଓଡିଶାରେ ବାତ୍ୟା ଆଶଙ୍କା : ଅବପାତ ନେଉଛି ବାତ୍ୟାର ରୂପ

Published By : Prameya-News7 Bureau | September 20, 2018 IST

ଭୁବନେଶ୍ବର ୨୦|୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ଅବପାତ । ଗୋପାଳପୁରଠାରୁ ୩ ଶହ କିଲୋମିଟର ଏବଂ ଆନ୍ଧ୍ରର କଳିଙ୍ଗପଟନମରୁ ୩୧୦ କିଲୋମିଟର ଦୂରରେ ରହିଛି ଅବପାତ। ପୁରୀରୁ କଳିଙ୍ଗପଟନମ୍ ମଧ୍ୟରେ ଅତିକ୍ରମ କରିବ ବାତ୍ୟା । ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଓଡିଶା ଏବଂ ଆନ୍ଧ୍ର ଉପକୂଳ ମୁହାଁ ହେଉଛି । ଏହାର ପ୍ରଭାବରେ ଘଣ୍ଟାପ୍ରତି ୮୦କିମି ବେଗରେ ପବନ ବହିବ । ଏହାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ଅଧିକ ରହିବା ସହ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିସହ ରାଜ୍ୟର ୩ଟି ଯାକ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଓଡିଶାର ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ ଏବଂ ପୁରୀରେ ଅଧିକ ପ୍ରଭାବ ପଡିବାର ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.