ବର୍ଷାରେ ମୁମ୍ବାଇ ବେହାଲ, ଘର ଭୂଷୁଡି ୮ ଆହତ, ନବି ମୁମ୍ବାଇରେ ଭାସିଲେ ଗାଡି, ଟ୍ରେନ ଓ ବିମାନ ସେବା ପ୍ରଭାବିତ

Published By : Prameya-News7 Bureau | July 08, 2019 IST

ମୁମ୍ବାଇ :  ଆର୍ଥିକ ରାଜଧାନୀ ମୁମ୍ବାଇ ପ୍ରତି ମୌସୁମୀ ବେଶ୍ ମେହରବାନ ଥିବା ପରି ମନେ ହେଉଛି। ପ୍ରଥମ ବର୍ଷାରେ ମୁମ୍ବାଇ ଓ ଉପନଗରୀୟ ଅଞ୍ଚଳ ଗୁରୁତର ପ୍ରଭାବିତ ହୋଇଥିବା ବେଳେ, ଏବେ ପୁଣି ବର୍ଷା ପରିସ୍ଥିତିକୁ ଅସମ୍ଭାଳ କରିଦେଇଛି। ଭିଷଣ ବର୍ଷା ଯୋଗୁ ଗୋବଣ୍ଡି ଅଞ୍ଚଳରେ ଏକ ଘର ଭୂଷୁଡି ପଡିବାରୁ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":131770}

ବର୍ଷା ଯୋଗୁ ନବୀ ମୁମ୍ବାଇ ଅବସ୍ଥା ଉଦବେଗଜନକ ହୋଇପଡିଛି। ବର୍ଷାପାଣି  ନିଷ୍କାସିତ ହୋଇ ନପାରି ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ଫଳରେ ବିଭିନ୍ନ ସ୍ଥାନରେ  ପାର୍କ ହୋଇଥିବା ବାହନ ଖେଳନା ଭଳିପାଣିରେ ଭାସୁଥିବା ଦେଖାଯାଇଛି। ବର୍ଷା ଯୋଗୁ ୱେଷ୍ଟର୍ଣ୍ଣ ହାଇ-ୱେ ଏକରକମ ଠପ ହୋଇଯାଇଛି। ହାଇ-ୱେରେ ଟ୍ରାଫିକ ଜାମ ଲାଗିଥିବା ବେଳେ ପରିସ୍ଥିତିର ମୁକାବିଲା ନିମନ୍ତେ ପୁରା ଫୋର୍ସ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ଟ୍ରାଫିକ ଡିସିପି ଶାହଜୀ ଉମାପ । ବର୍ଷାରେ ସଡକ ଗମନା ଗମନ ଠପ ହୋଇପଡିଥିବା ବେଳେ ରେଳ ଟ୍ରାକ୍ ବି ଏଥିରୁ ବର୍ତ୍ତିନି। ବିକ୍ରୋଲି-କାଞ୍ଜୁର ରେଳ ଧାରଣା ପାଣିରେ ବୁଡି ରହିବା କାରଣରୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଏଣୁ ସୋମବାର ହଜାର ହଜାର ମୁମ୍ବେଇକର ନିୟମିତ ସମୟରେ ସେମାନଙ୍କ କାର୍ଯ୍ୟସ୍ଥଳରେ ପହଞ୍ଚି ପାରି ନାହାନ୍ତି।

{"id":131769,"width":574,"height":746}

କେବଳ ସଡକ କି ରେଳ ନୁହେଁ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଭୀଷଣ ବର୍ଷା ଯୋଗୁ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ଉଡାଣ ଓ ଅବତରଣ ଉଭୟ ପ୍ରଭାବିତ ହୋଇଛି। ବର୍ଷାରେ ଦୂରକୁ ଦେଖି ହେଉନଥିବାରୁ ବିମାନ ବନ୍ଦରକୁ ବିଭିନ୍ନ ସ୍ଥାନରୁ ଆସୁଥିବା ବିମାନଙ୍କୁ ଅନ୍ୟ ଏୟାରପୋର୍ଟକୁ ଡାଇଭର୍ଟ କରାଯାଉଛି। ଏଥିରେ ପାଣିପାଗ ବିଭାଗର ୯ ଜୁଲାଇ ବର୍ଷା ସତର୍କତା ଲୋକଙ୍କୁ ଆତଙ୍କିତ କରିଛି। ଆଇଏମଡି ୱେବ୍ ସାଇଟ୍ ରେ ବର୍ଷା ପାଇଁ ଜାରି ଚେତାବନୀରେ ଗୁରୁବାର ପର୍ଯ୍ୟନ୍ତ ଉତ୍ତର କୋଙ୍କଣର କିଛି ଅଞ୍ଚଳରେ ଭିଷଣ ବର୍ଷା ଆଶଙ୍କା କରଯାଇଛି। ତେବେ ଏଥିନିମନ୍ତେ ୟେଲୋ ଆଲର୍ଟ ଲାଗିଥିବାରୁ ଲୋକେ ସାମାନ୍ୟ ଆଶସ୍ତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.